ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଅନୁସରଣକାରୀଙ୍କ ସଂଖ୍ୟା ପୁଣି ଥରେ ବୃଦ୍ଧି
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଅନୁସରଣକାରୀଙ୍କ ସଂଖ୍ୟା ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀ ଦୁଷ୍କର୍ମ ମାମଲାରେ ବିବାଦୀୟ ଟୁଇଟ୍ ପରେ ତାଙ୍କ ଫୋଲୋଅର୍ସଙ୍କ ସଂଖ୍ୟା ପ୍ରାୟ ସ୍ଥିର ହୋଇଯାଇଥିଲା। ଏହି ପରିପ୍ରେକ୍ଷୀରେ ରାହୁଲ ଟ୍ୱିଟରକୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ଯେଉଁଥିରେ ସେ କମ୍ପାନୀର ସିଇଓ ପାରାଗ ଅଗ୍ରୱାଲଙ୍କୁ ଟ୍ୱିଟର ଅନୁସରଣକାରୀଙ୍କ ସଂଖ୍ୟା ହ୍ରାସ ପାଇଥିବାର ସୂଚନା ଦେଇଛନ୍ତି। ଦିଲ୍ଲୀ ଦୁଷ୍କର୍ମ ମାମଲାରେ ଟ୍ୱିଟ୍ କରିବା ପରେ କଂଗ୍ରେସ ନେତାଙ୍କ ଆକାଉଣ୍ଟକୁ ଟ୍ୱିଟର ସାମୟିକ ଭାବେ ଅବରୋଧ କରିଥିଲା।
ମିଡିଆ ରିପୋର୍ଟ ଅନୁଯାୟୀ, ଟ୍ୱିଟରରେ ରାହୁଲ ଗାନ୍ଧୀଙ୍କ ଫୋଲୋଅର୍ସଙ୍କ ସଂଖ୍ୟା ସପ୍ତାହକୁ ପ୍ରାୟ ୮୦ ହଜାର ବୃଦ୍ଧି ପାଉଛି। ୱାୟନାଡ ସାଂସଦ ୨୭ ଡିସେମ୍ବର ୨୦୨୧ରେ ଏକ ବିରୋଧ ପ୍ରଦର୍ଶନ କରିଥିଲେ। ତାଙ୍କ ଟ୍ୱିଟର ଅନୁସରଣକାରୀଙ୍କ ସଂଖ୍ୟା ଶୂନ ହୋଇଛି ଓ ଏହି ପ୍ରସଙ୍ଗରେ ସରକାର ରାଜନୈତିକ ଚାପ ପ୍ରୟୋଗ କରିଥିବା ସେ ଅଭିଯୋଗ କରିଥିଲେ। ତେବେ ସେହି ସମୟରେ କମ୍ପାନୀ ନିର୍ଦ୍ଦିଷ୍ଟ ପ୍ରତିକ୍ରିୟା ଦେଇନଥିଲା। କଂଗ୍ରେସ ନେତାଙ୍କ ଆକାଉଣ୍ଟ ପୁଣି ଥରେ ସକ୍ରିୟ ହୋଇଛି। ରିପୋର୍ଟ ଅନୁଯାୟୀ, ଜାନୁଆରୀ ୧୨ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୬ ସପ୍ତାହ ମଧ୍ୟରେ, ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଅନୁସରଣକାରୀଙ୍କ ସଂଖ୍ୟା ପ୍ରତି ସପ୍ତାହରେ ହାରାହାରି ୮୦ ହଜାର ବୃଦ୍ଧି ପାଉଛି। ବର୍ତ୍ତମାନ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ୨ କୋଟିକୁ ବୃଦ୍ଧି ପାଇଛି। ଅଗଷ୍ଟ ୨୦୨୧ରେ ଦିଲ୍ଲୀରେ ଜଣେ ଦୁଷ୍କର୍ମ ପୀଡିତାଙ୍କ ପରିବାରର ଫଟୋ ପୋଷ୍ଟ କରିବା ପରେ ରାହୁଲଙ୍କ ଟ୍ୱିଟର ଆକାଉଣ୍ଟ ବିବାଦ ଭିତରକୁ ଆସିଥିଲା।
ରିପୋର୍ଟ ଅନୁଯାୟୀ, ଭାରତୀୟ ଜନତା ପାର୍ଟିର ସଦସ୍ୟଙ୍କ ଅଭିଯୋଗର ଜବାବରେ ଟ୍ୱିଟର କଂଗ୍ରେସ ନେତାଙ୍କ ଆକାଉଣ୍ଟକୁ ୮ ଦିନ ବନ୍ଦ କରିଦେଇଥିଲା। ଟ୍ୱିଟର ସିଇଓ ଅଗ୍ରୱାଲଙ୍କୁ ଲେଖିଥିବା ଚିଠିରେ ରାହୁଲ ଅଭିଯୋଗ କରିଛନ୍ତି ଯେ, ଅଗଷ୍ଟ ପରଠୁ ତାଙ୍କର ନୂତନ ୟୁଜର୍ସ ଫୋଲୋ କରିବା ବନ୍ଦ କରି ଦେଇଛନ୍ତି। ଚିଠିରେ କୁହାଯାଇଛି ଯେ, ପ୍ରତି ମାସରେ ପ୍ରାୟ ୨ ଲକ୍ଷ ନୂତନ ଅନୁଗାମୀ ଆସୁଥିଲେ। କିନ୍ତୁ ଏହି ସଂଖ୍ୟା ମାସକୁ ୨୫୦୦କୁ ଖସି ଆସିଥିଲା। ଏହି ପରିବର୍ତ୍ତନ ସ୍ୱାଭାବିକ ନୁହେଁ, କିନ୍ତୁ ବାହ୍ୟ ପ୍ରଭାବ ଦ୍ୱାରା ଅନୁପ୍ରାଣିତ ହୋଇଥିବା କଂଗ୍ରେସ ସୂତ୍ରରୁ ଜଣାପଡିଛି।
