ଋଷର କ୍ଷେପଣାସ୍ତ୍ର ମାଡ଼, ମାଟିରେ ମିଶିଲା ବିନିସ୍ତିୟା ଏୟାରପୋର୍ଟ
ନୂଆଦିଲ୍ଲୀ : ୟୁକ୍ରେନରେ ଦୀର୍ଘ ୧୨ଦିନରେ ଯୁଦ୍ଧ । ତଥାପି କମୁନି ତାତି । ତାତିର ପାରା କମିବା ଜାଗାରେ ବଢୁଛି । କୁହାଯାଉଛି ଏହି ଯୁଦ୍ଧ ତୃତୀୟ ବିଶ୍ୱ ଯୁଦ୍ଧର ଆହ୍ୱାନ ହୋଇପାରେ । ୟୁକ୍ରେନରେ କେତେବେଳେ କାହା ଜୀବନ ଯାଉଛି କାହା ଜୀବନ ରହୁଛି ତାହା କାହାକୁ ବି ଜଣା ନାହିଁ । ବିଗତ ୧୧ ଦିନରେ ଦେଶବାସୀ ପ୍ରତ୍ୟେକ ସମୟରେ ଦେଖୁଛନ୍ତି ମୃତ୍ୟୁଦ୍ୱାର । ନିଜ ଘରେ ଥାଇ ମଧ୍ୟ ମନରେ ରହୁଛି ଭୟ, କି ଏହି ଜୀବନର ସମୟସୀମା କେତେ । କାଲି ସକାଳ ଦେଖିପାରିବେ କି ନାହିଁ ସେ ନେଇ ବି ରହୁନି ବିଶ୍ୱାସ ।
ଋଷର ସୈନ୍ୟ ପାଲଟଲି ଯାଇଛନ୍ତି ରକ୍ତମୁହାଁ ଯୋଦ୍ଧା । ଦେଖୁନାହାନ୍ତି କୋମଳମତି ଶିଶୁର କଷ୍ଟ । ଋଷିଆର ପ୍ରାଣଘାତି ଆକ୍ରମଣରେ ଗଲାଣି ୪୦ରୁ ଅଧିକ କୋମଳମତି ଶିଶୁଙ୍କ ଜୀବନ । କେତେ ଆହତ ହୋଇଛନ୍ତି ତାର ନାହିଁ କାହା ପାଖେ ହିସାବ । ଋଷ ୟୁକ୍ରେନରେ ଏକ ବଡ଼ ଧରଣ ବିସ୍ଫୋରଣ କରିଛି । ଋଷର କ୍ଷେପଣାସ୍ତ୍ର ହଇଚଇ ସୃଷ୍ଟି କରିଛି। ଏହି ଆକ୍ରମଣରେ ପୁରା ବିମାନବନ୍ଦର ଭୁଶୁଡି ପଡିଛି। ବିମାନ ବନ୍ଦରରେ ନିଆଁ ଲାଗିଯାଇଛି ଏବଂ ଏହାକୁ ଲିଭାଇବାକୁ ଉଦ୍ୟମ ଚାଲିଛି । ତେବେ ଏହି ବିମାନ ବନ୍ଦରଟି ୟୁକ୍ରେନର ବିନିସ୍ତିୟା ଏୟାରପୋର୍ଟ ନାମରେ ଜଣାଶୁଣା । କାଚ ନିର୍ମିତ ବିମାନ ବନ୍ଦରଟି ଏବେ ମାଟିରେ ମିଶିଯାଇଛି । ସେହିଭଳି ୧୨ ଦିନରେ ୧୫ ଲକ୍ଷ ଲୋକ ବେଘର ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି ।
