୨୨ ପାଶ୍ଚାତ୍ୟ ଦେଶ ଉପରେ ବର୍ଷିଲେ ଇମ୍ରାନ ଖାନ
ଇସଲାମାବାଦ : ୨୨ ପାଶ୍ଚାତ୍ୟ ଦେଶ ଉପରେ ବର୍ଷିଲେ ଇମ୍ରାନ ଖାନ। ୟୁକ୍ରେନ ଉପରେ ଋଷର ଆକ୍ରମଣ ପ୍ରସଙ୍ଗରେ ଦେଇଛନ୍ତି, ଏମିତି ବୟାନ, ଯାହାକୁ ଶୁଣିଲା ପରେ ପାକିସ୍ତାନର ପକ୍ଷ ସ୍ପଷ୍ଟ ହେଉଛି। ଏକ ଚିଠିର ଉତ୍ତର ଦେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ରବିବାର ରାଗିଯାଇ ପଚାରିଛନ୍ତି ଯେ, ପାକିସ୍ତାନ ତୁମର “ଦାସ” କି?
ରବିବାର ଇସ୍ଲାମାବାଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ରାଜନୈତିକ ସଭାକୁ ସମ୍ବୋଧନ କରିଥିଲେ। ଏଥିରେ ପାଶ୍ଚାତ୍ୟର ୨୨ ଜଣ ରାଷ୍ଟ୍ରଦୂତଙ୍କ ଚିଠିକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନିନ୍ଦା କରିବାକୁ ପାଶ୍ଚାତ୍ୟ ଦେଶର କୂଟନୀତିଜ୍ଞମାନେ ପାକିସ୍ତାନକୁ ଚିଠିରେ ଅନୁରୋଧ କରିଥିଲେ। କିନ୍ତୁ ଇମ୍ରାନ ଖାନ ନିଜ ଅନ୍ଦାଜରେ ଏହାର ଉତ୍ତର ଦେଇଛନ୍ତି। ଯାହା ସମସ୍ତଙ୍କୁ ଚକିତ କରିଛି।
ୟୁରୋପୀୟ ୟୁନିଅନର ସଦସ୍ୟ ରାଷ୍ଟ୍ର ସମେତ ୨୨ଟି କୂଟନୈତିକ ମିଶନର ମୁଖ୍ୟ ଚିଠି ଲେଖି ଜାତିସଂଘର ସାଧାରଣ ସଭାରେ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବାକୁ ପାକିସ୍ତାନକୁ ଅନୁରୋଧ କରିଛନ୍ତି। ମାର୍ଚ୍ଚ ପହିଲାରେ ଲେଖା ହୋଇଥିବା ଏହି ଚିଠିକୁ କୂଟନୀତିଜ୍ଞମାନେ ସର୍ବସାଧାରଣରେ ପ୍ରକାଶ କରିଥିଲେ। ରବିବାର ରାଜନୈତିକ ସମାବେଶକୁ ସମ୍ବୋଧିତ କରି ପାକ୍ ପ୍ରଧାନମନ୍ତ୍ରୀ କହିଛନ୍ତି, “ତୁମେ ଆମ ବିଷୟରେ କ’ଣ ଭାବୁଛ? ଆମେ କଣ ତୁମର ଦାସ … ଯାହା ତୁମେ କହିବ ତାହା କରିବୁ?”
ଏହି ପରିପ୍ରେକ୍ଷୀରେ, ଯେତେବେଳେ ମିଳିତ ଜାତିସଂଘର ସାଧାରଣ ସଭାରେ ମତଦାନ ହୋଇଥିଲା, ପାଶ୍ଚାତ୍ୟ ଦେଶର ପାରମ୍ପାରିକ ସହଯୋଗୀ ପାକିସ୍ତାନ ଏହି ଭୋଟରେ ଭାଗ ନେବାକୁ ବାରଣ କରିଥିଲା। ସାଧାରଣ ସଭାର ଅଧିକାଂଶ ଦେଶ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ସମାଲୋଚନା କରିଛନ୍ତି। ଭାରତକୁ ସମାନ ଚିଠି ଲେଖିଛନ୍ତି କି? ବୋଲି ଇମ୍ରାନ ଖାନ, ପାଶ୍ଚାତ୍ୟ ଦେଶର କୂଟନୀତିଜ୍ଞମାନଙ୍କୁ ପଚାରିଛନ୍ତି। ଭାରତ ମଧ୍ୟ ୟୁଏନଏସସି ଏବଂ ୟୁଏନଜିଏରେ ଏହି ପ୍ରସଙ୍ଗରେ ଭୋଟିଂରେ ଅଂଶଗ୍ରହଣ କରିନଥିଲା। ଆଫଗାନିସ୍ତାନରେ ନାଟୋ ସହଯୋଗୀ ଦଳକୁ ସମର୍ଥନ କରୁଥିବାରୁ ୟୁକ୍ରେନ ଯୋଗୁଁ ପାକିସ୍ତାନ କ୍ଷତି ସହିଛି। ପାକିସ୍ତାନ କୈଣସି ଦଳ ସହ ଜଡିତ ନୁହେଁ ବୋଲି ଇମ୍ରାନ ଖାନ କହିଛନ୍ତି।
