ବାଲେଶ୍ୱର : ପଲସ ପୋଲିଓ ଅଭିଯାନ ସମୟ ସୂଚୀରେ ପରିବର୍ତନ, ଜାନୁଆରୀ ୨୩ ପରିବର୍ତେ ଫେବୃଆରୀ ୨୭ରେ ହେବ ଆରମ୍ଭ
ବାଲେଶ୍ୱର : ଆସନ୍ତା ଜାନୁଆରୀ ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ପଲସ ପୋଲିଓ ଅଭିଯାନର ସମୟ ସୂଚୀରେ ପରିବର୍ତ୍ତନ ହୋଇଛି । ପୂର୍ବରୁ ଜାନୁଆରୀ ୨୩, ୨୪ ଓ ୨୫ ତାରିଖରେ ଏହା ଆୟୋଜିତ ହେବାକୁ ଥିବା ବେଳେ ଏବେ ଏଥିରେ ପରିବର୍ତ୍ତନ ହୋଇ ଆସନ୍ତା ଫେବୃଆରୀ ୨୭, ୨୮ ଓ ମାର୍ଚ୍ଚ ୧ ତାରିଖରେ ଏହା କରାଯିବାକୁ ସ୍ଥିରୀକୃତ ହୋଇଛି । ଏ ନେଇ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ରାଜ୍ୟ ଶାଖା ପକ୍ଷରୁ ସମସ୍ତ ଜିଲାକୁ ସୂଚନା ଦିଆଯାଇଛି ।
ଫେବୃଆରୀ ୨୭ ତାରିଖ ଦିନ ବୁଥସ୍ତରରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବାକୁ ଥିବା ବେଳେ ଫେବୃଆରୀ ୨୮ ଓ ମାର୍ଚ୍ଚ ୧ ତାରିଖରେ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ ପୋଲିଓ ବୁନ୍ଦା ପାଇ ନ ଥିବା ଶିଶୁମାନଙ୍କୁ ଏହା ଖୁଆଇବେ । ଜିଲାର ସମସ୍ତ ବ୍ଲକର ୨ଲକ୍ଷ ୧୨ହଜାର ୪୫୮ଜଣ ଶିଶୁଙ୍କୁ (୦ରୁ ୫ର୍ଷ) ପୋଲିଓ ବୁନ୍ଦା ଖୁଆଇବା ପାଇଁ ଏଥର ଲକ୍ଷ୍ୟ ରଖାଯାଇଛି । ଏଥି ନିମନ୍ତେ ଜିଲାର ବିଭିନ୍ନ ଅଞ୍ଚଳରେ ବୁଥ୍ ସ୍ଥାପନ ସହିତ ସ୍ୱାସ୍ଥ୍ୟକର୍ମୀ (ଏଏନଏମ, ଅଙ୍ଗନୱାଡ଼ି ଓ ଆଶାକର୍ମୀ) ଏବଂ ସୁପରଭାଇଜରଙ୍କୁ ନିୟୋଜିତ କରାଯିବ । ପଲସ ପୋଲିଓ ଅଭିଯାନରେ ନିୟୋଜିତ ହେବାକୁ ଥିବା ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଓ ଅଧିକାରୀମାନେ କୋଭିଡ୍-୧୯ବୁଷ୍ଟର ଡୋଜ୍ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ଆଶଙ୍କା ନ ରଖି ପିତାମାତା ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବା ପାଇଁ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
