ନୀଳଗିରିରେ ପୁଣି କଳାପଲସର ଆତଙ୍କ : ୨ଜଣଙ୍କ ଠାରୁ ଝାମ୍ପିନେଲେ ୩ଲକ୍ଷ ୩୦ହଜାର
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ପୁଣି କଳାପଲସରର ଆତଙ୍କ । ବୁଧବାର ଅପରାହ୍ନରେ ନୀଳଗିରି ଥାନା ଅର୍ନ୍ତଗତ ପୃଥକ ପୃଥକ ଦୁଇଟି ସ୍ଥାନରୁ ୩ଲକ୍ଷ ୩୦ହଜାର ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ । ଏନେଇ ଖବରପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଥାଉକି ଟଣକା ଅଞ୍ଚଳର ଶ୍ରୀକାନ୍ତ ମଲିକ ୨ଲକ୍ଷ ୩୦ହଜାର ଟଙ୍କା ଜମା କରିବା ପାଇଁ ନୀଳଗିରି ଆସୁଥିଲେ । ପଞ୍ଚଲିଙ୍ଗେଶ୍ୱର ରାସ୍ତାର ପଟାପୋଲ ଠାରେ ଏକ କଳା ପଲସର ବାଇକରେ ୨ଜଣ ଆସି ଶ୍ରୀକାନ୍ତଙ୍କ ଠାରୁ ଉକ୍ତ ଟଙ୍କା ଝାମ୍ପି ନେଇ ଫେରାର ହୋଇଯାଇଥିଲେ । ସେହିପରି ଅଯୋଧ୍ୟା ଗ୍ରାମର ପ୍ରଫୁଲ୍ଲ ଦାସ ୧ ଲକ୍ଷ ଟଙ୍କା ନୀଳଗିରି ଏସ୍ବିଆଇରୁ ଉଠାଇ ନିଜ ଘରକୁ ଫେରୁଥିଲେ । ନୀଳଗିରି ଜଗନ୍ନାଥ ମନ୍ଦିର ନିକଟରେ କଳା ପଲସର ବାଇକରେ ୨ଜଣ ଆସି ତାଙ୍କ ଟଙ୍କାକୁ ଝାମ୍ପିନେଇ ଫେରାର ହୋଇଯାଇଥିଲେ । କଳା ପଲସର ଆତଙ୍କ ଯୋଗୁଁ ଏବେ ସାଧାରଣ ଜନତାଙ୍କ ମଧ୍ୟରେ ଭୟର ସଞ୍ଚାର ଦେଖିବାକୁ ମିଳିଛି ।
