ନୀଳଗିରି : ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍କୁ ନେଇ ଜନଶୁଣାଣି ଶିବିର
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରିରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବୁଧବାର ପୂର୍ବାହ୍ନ ୧୧ଟା ସମୟରେ ନୀଳଗିରି ବ୍ଲକ ସମ୍ମିଳନୀ କକ୍ଷରେ ୨୦୨୦/୨୧ ଆର୍ଥିକ ବର୍ଷର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏହି ଜନଶୁଣାଣି ଶିିବିରରେ ବ୍ଲକ ଅଧ୍ୟକ୍ଷା , ଉପାଧ୍ୟକ୍ଷ, ସମସ୍ତ ନବନିର୍ବାଚିତ ସମିତିସଭ୍ୟ, ସରପଞ୍ଚ, ଲୋକ ପ୍ରତିନିଧି, ସାଧାରଣ ଜନତା ଉପସ୍ଥିତ ଥିଲେ ।
ବିଭିନ୍ନ ପଞ୍ଚାୟତରେ ଚାଲିଥିବା ମହାତ୍ମଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ଜବ୍କାର୍ଡ଼ଧାରୀମାନେ କରୁ ନ ଥିବାବେଳେ ମେସିନ୍ ଦ୍ୱାରା କରାଯାଇ ଜବ୍କାର୍ଡ଼ଧାରୀଙ୍କ ପେଟକୁ ଜେସିବି ମେସିନ୍ ନାତ ମାରୁଛି ବୋଲି ନିର୍ବାଚିତ ପ୍ରତିନିଧିମାନେ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରି ପ୍ରଶ୍ନ କରିଥିଲେ । ସେହିପରି ଆରବନ୍ଧ ପଞ୍ଚାୟତର ନୂତନ ସରପଞ୍ଚ କୁଳମଣୀ ନାୟକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବ୍ୟବସ୍ଥାରେ ସଠିକ୍ ରୂପାୟନ କରିବା ପାଇଁ ଯୋଗାଣ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଭିନ୍ନ ପଞ୍ଚାୟତର ବହୁଧନୀ ଶ୍ରେଣୀର ବ୍ୟକ୍ତି, ଚାରିଚକିଆ ଯାନ ଥିବା ବ୍ୟକ୍ତି, ଚାକିରି କରିଥିବା ଓ ପେନସନ ପାଉଥିବା ବ୍ୟକ୍ତି, ବିଶେଷଙ୍କୁ ରାସନକାର୍ଡ ମିଳିଥିବା ନେଇ ପ୍ରଶ୍ନ କରିଥିଲେ । ଏ ସମସ୍ତ ପ୍ରଶ୍ନର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ନୀଳଗିରି ବିଡିଓ ଅଶେଷ କୁମାର ନାୟକ ଶିବିରରେ ପ୍ରକାଶ କରିଛନ୍ତି । ଏହା ସହ ଆଗାମୀ ଦିନରେ ସରପଞ୍ଚ ମାନେ ନିଜ ପଞ୍ଚାୟତମାନଙ୍କରେ ମନରେଗା ଯୋଜନାରେ କେଉଁଭଳି ସଫଳ ରୂପାୟନ ହୋଇପାରିବ, ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀମାନେ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ହୋଇପାରିବେ, ସରକାରଙ୍କ ପ୍ରତ୍ୟେକ ଯୋଜନା ସରକାରଙ୍କ ପାଖରେ ପହଞ୍ଚାଯାଇପାରିବ ସେଥିପାଇଁ ନିର୍ବାଚିତ ପ୍ରତିନିଧିଙ୍କୁ ପରାମର୍ଶ ଦିଆଯାଇଥିଲା । ଏହି ଜନଶୁଣାଣି ଶିବିରରେ ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ, ନୂତନ ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ବିଡ଼ିଓ ଅଶେଷ କୁମାର ନାୟକ, ଉପାଧ୍ୟକ୍ଷ ଜ୍ୟୋର୍ତିମୟ ପୁଥାଳ, ସାଂସଦ ପ୍ରତିନିଧି କରୁଣାକର ପଣ୍ଡା, ବିଧାୟକ ପ୍ରତିନିଧି ଉପେନ୍ଦ୍ର ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ଦୀପ୍ତାଂଶୁ ପରିଡ଼ା, ଜିପିଓ ମିନତୀ ମାରାଣ୍ଡି, ଯୋଗାଣ ବିଭାଗ ଅଧିକାରିଣୀ କଳ୍ପନା ପଣ୍ଡା, ଲୋକ ସଂପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ, ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ବିଭାଗର ଅଧିକାରୀ, ବିଭିନ୍ନ ପଞ୍ଚାୟତର ସାଧାରଣ ଜନତା ଉପସ୍ଥିତ ଥିଲେ । ଶେଷରେ ବିଡିଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
