ଓଡ଼ିଶାବାସୀଙ୍କ ପାଇଁ ଗର୍ବର ବିଷୟ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଭାରତର ୧୫ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବା ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ଟୁଇଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ପାଇଁ ନିର୍ବାଚିତ ହେବା ପ୍ରକୃତରେ ଓଡିଶାବାସୀଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ । ଦେଶର ପ୍ରଥମ ନାଗରିକ ହେବା ପାଇଁ ତାଙ୍କର ଯାତ୍ରା ପ୍ରକୃତରେ ପ୍ରେରଣାଦାୟକ ଏବଂ ଏହି ଯାତ୍ରା ମହିଳା ସଶକ୍ତିକରଣର ଏକ ଉଜ୍ଜ୍ୱଳ ଉଦାହରଣ । ଆଗକୁ ଏକ ପୂର୍ଣ୍ଣ କାର୍ଯ୍ୟକାଳ ପାଇଁ ତାଙ୍କୁ ବହୁତ ଶୁଭେଚ୍ଛା ଜଣାଉଛି ବୋଲି ନବୀନ କହିଛନ୍ତି ।
ସୂଚନାଯୋଗ୍ୟ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ରୌପଦୀଙ୍କୁ ସେ ଓ ବିଜୁ ଜନତା ଦଳ ସମର୍ଥନ କରିବ ବୋଲି ଘୋଷଣା କରିଥିଲେ । କେବଳ ସେତିକି ନୁହେଁ, ଦ୍ରୌପଦୀ ମୁର୍ମୁଙ୍କୁ ବିଜୟୀ କରାଇବାରେ ଓଡ଼ିଶାର ମଙ୍ଗୁଆଳ ସାଜିଥିଲେ । ସେ ରାଜ୍ୟର ସମସ୍ତ ସାଂସଦ ଓ ବିଧାୟକଙ୍କୁ ଦ୍ରୌପଦୀଙ୍କୁ ସମର୍ଥନ ଜଣାଇବା ପାଇଁ ଅପିଲ କରିଥିଲେ ।
