ଦ୍ରୌପଦୀ ମୁର୍ମୁଙ୍କୁ ଘରେ ପହଂଚି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ପ୍ରଥମେ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହାପରେ ସେ ତାଙ୍କ ଦିଲ୍ଲୀ ସ୍ଥିତି ବାସଭବନରେ ପହଂଚି ଅଭିନନ୍ଦନ ଜଣାଇଛନ୍ତି । ସେ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ବେଳେ ତାଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ରହିଥିଲେ । କିଛି ସମୟର ଆଲୋଚନା ପରେ ସମସ୍ତେ ବାହାରକୁ ଆସି ଫଟୋ ପୋଜ ମଧ୍ୟ ଦେଇଥିଲେ ।
ମୋଦି ଟ୍ୱିଟ କରି କହିଛନ୍ତି, ଭାରତ ଇତିହାସ ସୃଷ୍ଟି କରିଛି । ଯେତେବେଳେ ୧୩୦ କୋଟି ଲୋକ ଆଜାଦି କୀ ଅମୃତ ମହୋତ୍ସବ ପାଳନ କରୁଛନ୍ତି ସେତେବେଳେ ପୂର୍ବ ଭାରତରେ ଗୋଟିଏ ଉପାନ୍ତ ଅଂଚଳରେ ଜନ୍ମ ଗ୍ରହଣ କରିଥିବା ଜଣେ ଆଦିବାସୀ ସଂପ୍ରଦାୟର ଝିଅ ରାଷ୍ଟ୍ରପତି ହୋଇଛନ୍ତି । ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ, ପ୍ରାରମ୍ଭିକ ସଂଘର୍ଷ, ତାଙ୍କ ସେବା ଓ ତାଙ୍କ ସଫଳତା ପ୍ରତିଟି ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ । ସେ ଆମ ନାଗରିକ ବିଶେଷ କରି ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ଆଶାର କିରଣ ଭାବେ ଉଭା ହୋଇଛନ୍ତି ।ମୁଁ ନିଶ୍ଚିତ ଯେ ସେ ଜଣେ ଦକ୍ଷତା ସମ୍ପନ୍ନ ରାଷ୍ଟ୍ରପତି ହୋଇ ନେତୃତ୍ୱ ନେବେ ଓ ଭାରତର ବିକାଶ ଯାତ୍ରାକୁ ଅଧିକ ସଶକ୍ତ କରିବେ । ଦଳମତ ନିର୍ବିଶେଷରେ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ôଥତ୍ୱକୁ ସମର୍ଥନ କରିଥିବା ସମସ୍ତ ବିଧାୟକ ଓ ସାଂସଦ ମାନଙ୍କୁ ଧନ୍ୟବାଦ । ତାଙ୍କ ରେକର୍ଡ ବିଜୟ ଆମ ଗଣତନ୍ତ୍ର ଭାବେ ଶୁଭଙ୍କର ବୋଲି ମୋଦି କହିଛନ୍ତି ।
