ରାଜରାସ୍ତାରେ ମାଣ ବସାଇ, ଶଙ୍ଖ ଫୁଙ୍କି ପ୍ରତିବାଦ
ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସଂଘ ପକ୍ଷରୁ ଭିନ୍ନ ଢ଼ଙ୍ଗରେ ଆନ୍ଦୋଳନ
ଭୁବନେଶ୍ୱର : ରାଜରାସ୍ତାରେ ମାଣ ବସାଇ ପ୍ରତିବାଦ । ଆଜି ମାର୍ଗଶୀର ମାସ ଗୁରୁବାର ଅବସରରେ ଏପରି ଭିନ୍ନ ଢ଼ଙ୍ଗରେ ଆନ୍ଦୋଳନ କରିଛନ୍ତି ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସଂଘ । ଗତ ୨୯ ତାରିଖରୁ ସଂଘ ପକ୍ଷରୁ ଆନ୍ଦୋଳନରେ ବସିଥିବା ଅଧ୍ୟାପିକାମାନେ ଓଡ଼ିଆ ପରମ୍ପରା ରକ୍ଷା କରି ଆଜି ରାଜରାସ୍ତାରେ ଗୁରୁବାର ମାଣବସା ପାଳନ କରିଛନ୍ତି ।
୨୦୦୮ ଜୁନ ୧ ତାରିଖରୁ ୨୦୧୩ ନଭେମ୍ବର ୩୦ ତାରିଖ ମଧ୍ୟରେ ମହାବିଦ୍ୟାଳୟ ପରିଚାଳନା କମିଟି ଦ୍ବାରା ନିଯୁକ୍ତି ପାଇଥିବା ଏହି ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ପ୍ରମୁଖ ସରକାରୀ ଅନୁଦାନ ପରିସରଭୁକ୍ତ ଓ ପୂର୍ଣ୍ଣ ଚାକିରି ସର୍ତ୍ତାବଳୀ ଦାବିରେ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଅହୋରାତ୍ର ଗଣଧାରଣା ଦେଉଛନ୍ତି । ସରକାରଙ୍କ ପକ୍ଷରୁ ସକରାତ୍ମକ ପଦକ୍ଷେପ ଗ୍ରହଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଧାରଣା ଜାରି ରଖିବେ ବୋଲି ସମସ୍ତେ ଚେତାବନୀ ଦେଇଛନ୍ତି।
