ଦରମା ବୃଦ୍ଧି ସମେତ ବିଭିନ୍ନ ଦାବି ନେଇ ଡ୍ରାଇଭରଙ୍କ ଧାରଣା, ଆଜି ରାଜଧାନୀରେ ଗଡ଼ିବନି ମୋ ବସ୍
ଭୁବନେଶ୍ୱର : ମହାମାରୀ କରୋନା ଯୋଗୁଁ ଦୀର୍ଘଦିନ ହେବ ବନ୍ଦ ରହିଥିଲା ମୋ ବସ ସେବା । ରାଜ୍ୟରେ କରୋନା ସଂକ୍ରମଣ କମିବା ଏବଂ ଅନଲକ ପ୍ରକ୍ରିୟା ଯୋଗୁଁ ସୋମବାର ଠାରୁ ମୋ ବସ ଗଡ଼ିବା ନେଇ କ୍ରୁଟ ନିଷ୍ପତ୍ତି ନେଇଥିଲେ । ମାତ୍ର ଦରମା ବୃଦ୍ଧି ସମେତ ବିଭିନ୍ନ ଦାବି ନେଇ ମୋ ବସ୍ ଡ୍ରାଇଭରମାନେ ଧାରଣା ଦେଇଛନ୍ତି । ଫଳରେ ରାଜଧାନୀରେ ଆଜି ଗଡିବନି ମୋ ବସ୍ ।
ବର୍ତ୍ତମାନ ଦିନକୁ ୮ ଘଣ୍ଟା ଡ୍ୟୁଟି ହିସାବରେ ମାସକୁ ଦରମା ମିଳୁଛି ୧୨ ହଜାର ଟଙ୍କା । ଏତିକି ଟଙ୍କାରେ ପରିବାର ପୋଷିବା କଷ୍ଟ ହେଉଛି ବୋଲି ସେମାନେ କହିଛନ୍ତି । ତେଣୁ ଦରମା ବୃଦ୍ଧି କରାଯାଇ ୧୮ ହଜାର ଟଙ୍କା କରାଯାଉ ବୋଲି ଡ୍ରାଇଭର ମାନେ ଦାବି କରିଛନ୍ତି । କେବଳ ଦରମା ନୁହେଁ ଇଏସ ଆଇ , ଇପିଏଫ୍ ମଧ୍ୟ ସବୁ କର୍ମଚାରୀ ପାଉନଥିବା ଅଭିଯୋଗ ହୋଇଛି । ଦରମା ବଢ଼ାଇବା ପାଇଁ ଦାବି କଲେ ଚାକିରିରୁ ବାହାର କରିଦେବାକୁ ଧମକ ଦେଉଛି ଟ୍ରାଭେଲ ଟାଇମ୍ସ । ତେଣୁ ଆଜିଠୁ କାମ ଛାଡି ସମସ୍ତ ଡ୍ରାଇଭର ଆନ୍ଦୋଳନରେ ବସିଛନ୍ତି। ଅନ୍ୟପଟେ ଟ୍ରାଭେଲ ଟାଇମ୍ସର କୌଣସି ଅଧିକାରୀ ଏନେଇ ମୁହଁ ଖୋଲିନାହାଁନ୍ତି ।
