ବାଲେଶ୍ୱର ରେଳଷ୍ଟେସନ ସମ୍ମୁଖରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
- କେନ୍ଦ୍ରମନ୍ତ୍ରୀଙ୍କ ବହିଷ୍କାର ଓ ୩ କଳା କୃଷି ଆଇନ ପ୍ରତ୍ୟାହାର ଦାବି
ବାଲେଶ୍ୱର : ଉତ୍ତରପ୍ରଦେଶର ଲଖିପୁର ଖେରିରେ କୃଷକମାନଙ୍କ ଶୋଭାଯାତ୍ରା ଉପରେ ଗାଡ଼ି ଚଢ଼ାଇ ୪ ଜଣ କୃଷକଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କ ପିତା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରିବା ଓ ୩ କଳାକୃଷି ଆଇନକୁ ପ୍ରତ୍ୟାହାର ଦାବିକରି ସୋମବାର ପୂର୍ବାହ୍ନ ୧୦ଟା ସମୟରେ ବାଲେଶ୍ୱର ରେଳଷ୍ଟେସନ ସମ୍ମୁଖରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ପିତା ଜଣେ କେନ୍ଦ୍ରମନ୍ତ୍ରୀ ପଦରେ ଥିବାରୁ ତଦନ୍ତ ନିରପେକ୍ଷ ହେବନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ । ସେହିପରି କେନ୍ଦ୍ର ସରକାର ପ୍ରଣୟନ କରିଥିବା ୩ କୃଷି ଆଇନ୍ ଦେଶର କୃଷକ ଓ ଖାଉଟିମାନଙ୍କ ସ୍ୱାର୍ଥରକ୍ଷା ନକରି ପୁଞ୍ଜିପତି କର୍ପୋରେଟ୍ମାନଙ୍କୁ ସହାୟକ ହେବବୋଲି ବିକ୍ଷୋଭସ୍ଥଳରେ ବକ୍ତାମାନେ ସେମାନଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ମୋଦି ସରକାରଙ୍କ ସାତବର୍ଷ ଶାସନକାଳରେ ସବୁଶ୍ରେଣୀର ମଣିଷ କ୍ଷତିଗ୍ରସ୍ତ ହୋଇଛନ୍ତି । ଧନୀମାନେ ଅଧିକ ଧନୀ ହୋଇଛନ୍ତି, ଦରଦାମ୍ ବୃଦ୍ଧି ଫଳରେ ସାଧାରଣ ମଣିଷ ତ୍ରାହି ତ୍ରାହି ଡାକୁଥିବାବେଳେ ସରକାର ଜାତୀୟ ସମ୍ପତ୍ତି ବିକ୍ରିକରି ଆଚ୍ଛାଦିନର ସ୍ଳୋଗାନ ଦେଉଛନ୍ତି । ପ୍ରତିରକ୍ଷା ବିଭାଗର ଗୋଳା, ବାରୁଦ, ତୋପ, କମାଣ ପ୍ରସ୍ତୁତ କରୁଥିବା ୪୧ଟି କାରଖାନାକୁ କେନ୍ଦ୍ରସରକାର ୭ଟି କମ୍ପାନୀକୁ ହସ୍ତାନ୍ତର କରି ଦେଶପ୍ରତି ବିଶ୍ୱାସଘାତକତା କରିଛନ୍ତି ବୋଲି ବିକ୍ଷୋଭକାରୀମାନେ ନାରାବାଜୀ କରିଥିଲେ । ତୁରନ୍ତ ନୂତନ କୃଷି ଆଇନ୍ ପ୍ରତ୍ୟାହାର ଓ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ପଦବୀରୁ ଅପସାରଣ ପାଇଁ ଦାବି କରାଯାଇଛି । ପ୍ରତିକୂଳ ପାଗ ସତ୍ୱେ ବିଭିନ୍ନ କୃଷକ, ଶ୍ରମିକ, ମହିଳା ଓ ଯୁବ ସଗଠନ ପକ୍ଷରୁ ଶତାଧିକ ନରନାରୀ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ବିକ୍ଷୋଭ ସମାବେଶରେ ଯୋଗ ଦେଇଥିବାର ଦେଖାଯାଇଥିଲା । ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ପୋଲିସ୍ ଓ ରେଳବିଭାଗର ପୋଲିସ୍ କର୍ମଚାରୀମାନେ ନିୟୋଜିତ ଥିଲେ । ବିଭିନ୍ନ ଗଣସଂଗଠନ ପକ୍ଷରୁ ସଞ୍ଜୀବ ଗିରି, ନିରଞ୍ଜନ ବାରିକ, ଶିଶିର ହୁଇ, ରବୀନ୍ଦ୍ର ବେହେରା, ଲକ୍ଷ୍ମୀଧର ଗିରି, ପ୍ରଜ୍ଞାପାରମିତା ମହାନ୍ତି, ବନ୍ଦନା ବିଶ୍ୱାସ, ଶ୍ୟାମସୁନ୍ଦର ଜେନା, କୈଳାସ ଚନ୍ଦ୍ର ପଣ୍ଡା, ସର୍ବେଶ୍ୱର ମିଶ୍ର, ରାଜକିଶୋର ଲେଙ୍କା, ପ୍ରକାଶ ଦେ, ନିକୁଞ୍ଜ ବସନ୍ତ ରାୟ, ସନ୍ତୋଷ ସାହୁ, ସିକନ୍ଦର ଖାଁ, ସୁଧିର ରାଉତ, ସେକ୍ ଇନୁସ୍, ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
