ତିହିଡ଼ି ବ୍ଲକରେ ଚୋରା ମଦ କାରବାର ବନ୍ଦ କରିବାକୁ ପ୍ରଗତିଶୀଳ ମହିଳା ମଞ୍ଚର ଦାବି
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ଚୋରା ମଦକାବାର ବନ୍ଦ କରିବାକୁ ପ୍ରଗତିଶୀଳ ମହିଳା ମାଞ୍ଚ ଜିଲା କମିଟି ପକ୍ଷରୁ ଦାବି କରାଯାଇଛି । ଏ ସମ୍ପର୍କରେ ମହିଳାମଞ୍ଚର ଜିଲା ସଭାନେତ୍ରୀ ଟୁନିଲତା ଜେନା, ସଦସ୍ୟା ସ୍ୱର୍ଣ୍ଣଲତା ଜେନା, ସୁକାନ୍ତୀ ଜେନା, କନକଲତା ନାୟକ, ବାସନ୍ତୀ ଜେନା, କବିତା ଜେନା, ଶାନ୍ତିଲତା ଜେନା, ଝୁମର ଜେନା, ପଞ୍ଚାନନ ଜେନା, ରଶ୍ମିତା ଜେନା, ରିଙ୍କୁ ଜେନା, ସୁବାସ ଜେନା, ସୁନି ଜେନା, ଝରଣା ଜେନା, ନିରୁପମା ଜେନା ପ୍ରମୁଖଙ୍କ ସହିତ ଶତାଧିକ କର୍ମକର୍ତ୍ତା ଓ ସଦସ୍ୟ ଜିଲାପାଳ, ଏସପି, ଅବକାରୀ ଅଧିକାରୀ, ତହସିଲଦାର, ତିହିଡ଼ି ଥାନା ଅଧିକାରୀ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଚୋରା ନିଶାଦ୍ରବ୍ୟ କାରବାରକୁ ବନ୍ଦ କରାନଗଲେ ସେମାନେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି । ବ୍ଲକର ଦୋଳସାହି ବଜାରରୁ ଗୁଆମାଳ ପଞ୍ଚାୟତକୁ ଯିବା ରାସ୍ତାର ହାଇସ୍କୁଲ ନିକଟ ରାସ୍ତାକଡ଼ରେ ବେଆଇନ ମଦଭାଟି ରହିଛି । ଯେଉଁଥିପାଇଁ ଦୋଳସାହି, ପାଳିଆ, ଗୁଆମାଳ, କୁବେରା, ତାଳପଦା, ମୁକୁନ୍ଦପୁର, ଅଚକ, ବାରୋ ପଞ୍ଚାୟତ ସହିତ ଭଦ୍ରକ ବ୍ଲକର କେଦାରପୁର ପଞ୍ଚାୟତର ଲୋକମାନେ ପ୍ରଭାବିତ ହେଉଛନ୍ତି । ଦୋଳସାହି ବଜାରରେ ପ୍ରତିଦିନ ପରିବା ହାଟ ଲାଗେ । ଏଥି ସହିତ ଏହି ରାସ୍ତାରେ ବିଭିନ୍ନ ପଞ୍ଚାୟତର ହଜାର ହଜାର ସଂଖ୍ୟାର ଲୋକ ବିଭିନ୍ନ କାମରେ ଯାତାୟତ କରନ୍ତି । ଏଥି ସହିତ ହାଇସ୍କୁଲ, ବାଳିକା ହାଇସ୍କୁଲ, କଲେଜକୁ ମଧ୍ୟ ଛାତ୍ରଛାତ୍ରୀମାନେ ଯାତାୟତ କରିଥାନ୍ତି । ଏହି ମଦ ଭାଟିରୁ ମଦ ପିଇ ମଦ୍ୟପମାନେ ରାସ୍ତାରେ ଗଣ୍ଡଗୋଳ ଓ ଅସାମାଜିକ କାର୍ଯ୍ୟ କରିଥାନ୍ତି । ଝିଅ ବୋହୂମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥାନ୍ତି । ଏଥି ସହିତ ରାତିରେ ମଧ୍ୟ ଚୋରି ଡକାୟତି ବଢ଼ିଥାଏ । ଏହି ମଦ ଭାଟି ବନ୍ଦ କରିବା ପାଇଁ ବାରମ୍ବାର ପ୍ରଶାସନକୁ ଅବଗତ କରାଇଲେ ମଧ୍ୟ ସୁଫଳ ମିଳିପାରୁନାହିଁ । ଅପରପକ୍ଷେ ଗ୍ରାମାଞ୍ଚଳ ମାନଙ୍କରେ ଚୋରା ମଦ, ରନ୍ଧା ମଦ, ବ୍ରାଉନସୁଗାର, ଗଞ୍ଜେଇ ଖୋଲାଖୋଲି ଭାବେ ବିକ୍ରି ହେଉଛି । ଯେଉଁ ଭଦ୍ରବ୍ୟକ୍ତିମାନେ ଏହାକୁ ବିରୋଧ କରୁଛନ୍ତି ସେମାନଙ୍କୁ ନିଶାଦ୍ରବ୍ୟ ମାଫିଆମାନେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ନନ୍ଦପୁର ବଜାରରୁ ଝିଙ୍କିରିଆକୁ ଯିବା ରାସ୍ତାରେ ଏକ ଠିପିଖୋଲା ମଦ ବାର୍ ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇଛି । ଅବକାରୀ ବିଭାଗ ବେଆଇନ ଭାବେ ମଦ ଦୋକାନ ଖୋଲିବା ଯୁକ୍ତସଂଗତ ନୁହେଁ ବୋଲି ଅଭିଯୋଗରେ ଦର୍ଶାଯାଇଛି ।
