ଆଜି ବିରାଟ ମହିଳା ସମାବେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ ବିରାଟ ମହିଳା ସମାବେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଉତ୍ତରପ୍ରଦେଶ ପ୍ରୟାଗରାଜରେ ହେଉଥିବା ଏହି ସମାବେଶରେ ଯୋଗଦେଇ ମହିଳା ସଶକ୍ତିକରଣ ପାଇଁ ବିଭିନ୍ନ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ଏହି ସମାବେଶରେ ପ୍ରାୟ ୨ ଲକ୍ଷ ମହିଳା ଯୋଗଦେବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୧୦୦୦ କୋଟି ଟଙ୍କାର ଅନୁଦାନ ଦେବେ। ଏହାଦ୍ୱାରା ପ୍ରାୟ ୧୬ ଲକ୍ଷ ମହିଳା ଲାଭାନ୍ବିତ ହେବେ। ଦୀନ ଦୟାଲ ଅନ୍ତଦୟ ରାଷ୍ଟ୍ରୀୟ ଗ୍ରାମୀଣ ଆଜୀବୀକା ମିଶନ ଜରିଆରେ ପ୍ରତ୍ଯେକ ଏସ୍ଏଚ୍ଜିଙ୍କୁ ୧ ଲକ୍ଷ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ଏହିଭଳି ୮୦ ହଜାର ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ସହାୟତା ଦିଆଯିବ। ସେହିପରି ୬୦ ହଜାର ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ। ଏହାଛଡ଼ା ୨୦ ହଜାର ବିଜିନେସ୍ କରେସପଣ୍ଡେଣ୍ଟଙ୍କୁ ୪ ହଜାର ଟଙ୍କା ଲେଖାଏଁ ପ୍ରଧାନମନ୍ତ୍ରୀ ପ୍ରଦାନ କରିବେ।
