ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆଜି ସନ୍ଧ୍ୟାରେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଦେବେ ଉଦବୋଧନ
ନ୍ୟୁୟର୍କ : ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାଶିଂଟନ ଡିସି ଗସ୍ତ ଶେଷ କରିବା ପରେ ଶନିବାର ସକାଳୁ (ଭାରତୀୟ ସମୟ)ନ୍ୟୁୟର୍କରେ ପହଞ୍ଚିଛନ୍ତି । ଆମେରିକା ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆଜି ସେ ମିଳିତ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଉଦବୋଧନ ଦେବେ । ମିଳିତ ଜାତିସଂଘର ୭୬ତମ ସାଧାରଣ ପରିଷଦ ବୈଠକରେ, ଭାରତୀୟ ସମୟ ସନ୍ଧ୍ୟା ୬.୩୦ରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ ପହଂଚିବା ପରେ ଭାରତୀୟ ସମର୍ଥକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ମୋଦୀ ଯେଉଁ ହୋଟେଲରେ ରହୁଛନ୍ତି, ସେଠାକାର ବାହାରେ ଭାରତୀୟ ପ୍ରଶଂସକମାନେ ଭିଡ ଲଗାଇଥିଲେ ।
ଏନେଇ ବିଦେଶ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗ୍ଚୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ନ୍ୟୁୟର୍କ ସହରରେ ପହଂଚିବା ପରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସେ ସେଠାରେ ୭୬ତମ ୟୁଏନ୍ଜିଏ ସମ୍ମିଳନୀକୁ ଉଦବୋଧନ ଦେବେ । ତେବେ ମୋଦୀ ଯେତେବେଳେ ନ୍ୟୁୟର୍କ ସହରରେ ପହଂଚିଛନ୍ତି, ଭାରତୀୟ ଲୋକମାନେ ଚିୟର କରିଛନ୍ତି । ହୋଟେଲ ବାହାରେ ସେମାନେ ବନ୍ଦେ ମାତରମ ଓ ଭାରତ ମାତା କି ଜୟ ଶ୍ଲୋଗାନ ଦେଇଛନ୍ତି ।
