ପଞ୍ଚମ ବିମଷ୍ଟେକ ସମ୍ମିଳନୀରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ପଞ୍ଚମ ବିମଷ୍ଟେକ ସମ୍ମିଳନୀରେ ଆଭାସି ମାଧ୍ୟମରେ ଅଂଶଗ୍ରହଣ କରିଛନ୍ତି । ବର୍ତମାନ ଶ୍ରୀଲଙ୍କା ବିମଷ୍ଟେକର ଅଧ୍ୟକ୍ଷ ରହିଛି । ପଞ୍ଚମ ବିମଷ୍ଟେକ ଶିଖର ସମ୍ମିଳନୀ ଆରମ୍ଭ ପୂର୍ବରୁ ବରିଷ୍ଠ ଅଧିକାରୀ ଓ ବିଦେଶ ମନ୍ତ୍ରୀସ୍ତରୀୟ ବୈଠକ ଗତ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ହାଇବ୍ରିଡ ମୋଡରେ କଲମ୍ବୋ ଠାରେ ଅନୁଷ୍ଠିତ ହୋଇଥିଲା । ଶିଖର ସମ୍ମିଳନୀର ବାର୍ତାଥିଲା “ଏକ ନମନୀୟ ଅଂଚଳ ଅଭିମୁଖେ, ସମୃଦ୍ଧ ଅର୍ଥନୀତି ଓ ସୁସ୍ଥ ଜନସାଧାରଣ” ।
ଶିଖର ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିମଷ୍ଟେକ ସନନ୍ଦର ରାଜିନାମା ଯେଉଁଥିରେ ବଙ୍ଗୋପସାଗର ଉପରେ ନିର୍ଭରଶୀଳ ତଟବର୍ତୀ ଦେଶଗୁଡିକର ସହଯୋଗ ଭିତିରେ କାର୍ଯ୍ୟକ୍ରମ ଗ୍ରହଣ । ଶିଖର ବୈଠକ ବିମଷ୍ଟେକ ସଦସ୍ୟ ରାଷ୍ଟ୍ରଗୁଡିକ ମଧ୍ୟରେ ପାରସ୍ପାରିକ ସହଯୋଗ ନେଇ ଉଲ୍ଲେଖନୀୟ ପ୍ରଗତି ଘଟିଛି । ପରିବହନ ସଂଯୋଗ ପାଇଁ ଦେଶମାନଙ୍କ ମାଷ୍ଟର ପ୍ଲାନ ଓ ଭବିଷ୍ୟତ ମାର୍ଗଦର୍ଶିକା ନେଇ ମଧ୍ୟ ଆଲୋଚନା ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀ ବିମଷ୍ଟେକ କ୍ରମବର୍ଦ୍ଧିଷ୍ଣୁ ଆଂଚଳିକ ଯୋଗାଯୋଗ ଓ ସୁରକ୍ଷା ବ୍ୟତୀତ ଅନେକ ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ସହଯୋଗୀ ନେତୃବୃନ୍ଦଙ୍କୁ ବଙ୍ଗୋପସାଗରକୁ ସଂଯୋଗର ସେତୁ, ସମୃଦ୍ଧି ଓ ସୁରକ୍ଷା ପ୍ରାଚୀରରେ ରୂପାନ୍ତରିତ କରିବାକୁ ଆହ୍ୱାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ସହଯୋଗ ଉପରେ ଆଧାରିତ ତିନୋଟି ବିମଷ୍ଟେକ ରାଜିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି । ସେଗୁଡିକ ହେଉଛି ଫୌଜଦାରୀ ବ୍ୟାପାରରେ ପାରସ୍ପରିକ ଆଇନ ସହାୟତା ନେଇ ବିମଷ୍ଟେକ ଅଧିବେଶନ, କୂଟନୀତିକ ତାଲିମ ନେଇ ପାରସ୍ପରିକ ସହଯୋଗ ସମ୍ପର୍କିତ ବିମଷ୍ଟେକ ବୁଝାମଣାପତ୍ର ଓ ବିମଷ୍ଟେକ ବୈଷୟିକ ଜ୍ଞାନ ବିନିମୟ ସଂକ୍ରାନ୍ତ ବୁଝାମଣା ପତ୍ର ।
