ସିଭିସି ଓ ସିବିଆଇର ମିଳିତ ସମ୍ମିଳନୀରେ ଭିଡ଼ିଓ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ
- ଦୁର୍ନୀତି ନିବାରଣ ସମ୍ଭବ ବୋଲି ଗତ ୬-୭ ବର୍ଷରେ ସରକାର ବିଶ୍ୱାସ ଜନ୍ମାଇବାରେ ସଫଳ ହୋଇଛନ୍ତି
- ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆଜି ରାଜନୈତିକ ଇଚ୍ଛାଶକ୍ତି ରହିଛି ଏବଂ ପ୍ରଶାସନିକ ସ୍ତରରେ ନିରନ୍ତର ସୁଧାର ଅଣାଯାଉଛି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ (ସିଭିସି) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ମିଳିତ ସମ୍ମିଳନୀରେ ଭିଡିଓ ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି ସମ୍ମିଳନୀ ଗୁଜରାଟର କେଓଡ଼ିଆ ଠାରେ ଅନୁଷ୍ଠିତ ହେଉଛି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସର୍ଦ୍ଦାର ପଟେଲଙ୍କ ସ୍ମୃତି ସହ ଜଡ଼ିତ ସ୍ଥାନ କେଓଡ଼ିଆରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି । ସର୍ଦ୍ଦାର ପଟେଲ ସବୁବେଳେ ପ୍ରଶାସନକୁ ଭାରତର ପ୍ରଗତି, ଜନସାଧାରଣଙ୍କ ଚିନ୍ତା ଏବଂ ଲୋକକଲ୍ୟାଣର ଆଧାରରେ ପରିଣତ କରିବା ପ୍ରତି ପ୍ରାଥମିକତା ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଭାରତ ଏ ଅମୃତ କାଳରେ ଏକ ବିଶାଳ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି । ଆଜି ଯେତେବେଳେ ଆମେ ଲୋକାଭିମୁଖି ଏବଂ ସକ୍ରିୟ ପ୍ରଶାସନକୁ ସୁଦୃଢ଼ କରିବା ଦିଗରେ ସଂକଳ୍ପବଦ୍ଧ ହୋଇଛୁ, ଆପଣମାନଙ୍କର କାର୍ଯ୍ୟ ତତ୍ପରତା ସର୍ଦ୍ଦାର ସାହେବଙ୍କ ଆଦର୍ଶକୁ ଆହୁରି ସୁଦୃଢ଼ କରିବ ବୋଲି ଶ୍ରୀ ମୋଦୀ କହିଥିଲେ । ରାଷ୍ଟ୍ରୀୟ ଜୀବନର ସମସ୍ତେ କ୍ଷେତ୍ରରେ ଦୁର୍ନୀତି ନିବାରଣ ପାଇଁ ନିଜକୁ ସମର୍ପି ଦେବା ଲାଗି ପ୍ରଧାନମନ୍ତ୍ରୀ ସିବିଆଇ ଏବଂ ସିଭିସି ଅଧିକାରୀମାନଙ୍କୁ ଆହ୍ୱାନ କରିଥିଲେ । ସେ କହିଥିଲେ ଯେ, ଦୁର୍ନୀତି ଲୋକମାନଙ୍କର ଅଧିକାରକୁ ଛଡ଼ାଇ ନେଇଥାଏ ଏବଂ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବାଧା ସୃଷ୍ଟି କରିଥାଏ । ଏହା ରାଷ୍ଟ୍ରୀୟ ପ୍ରଗତିରେ ବାଧକ ସାଜିବା ସହିତ ରାଷ୍ଟ୍ରର ମିଳିତ ଶକ୍ତିକୁ ପ୍ରଭାବିତ କରିଥାଏ ।
ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଦୁର୍ନୀତି ନିବାରଣ ସମ୍ଭବ ବୋଲି ଗତ ୬-୭ ବର୍ଷରେ ସରକାର ବିଶ୍ୱାସ ଜନ୍ମାଇବାରେ ସଫଳ ହୋଇଛନ୍ତି । ସେ କହିଥିଲେ, ଦଲାଲ ଓ ମଧ୍ୟସ୍ଥଙ୍କ ବିନା ଲୋକମାନେ ସରକାରୀ ଯୋଜନାଗୁଡ଼ିକର ସମ୍ପୂର୍ଣ୍ଣ ସୁବିଧା ପାଇବା ନେଇ ଏକ ବିଶ୍ୱାସ ଆଜି ଦେଶରେ ସୃଷ୍ଟି ହୋଇଛି । ଲୋକମାନଙ୍କ ମନରେ ଏବେ ଏକ ଧାରଣା ସୃଷ୍ଟି ହୋଇଛି ଯେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଯେତେ ଶକ୍ତିଶାଳୀ ହୁଅନ୍ତୁ ପଛେ, ଯୁଆଡ଼େ ଯାଆନ୍ତୁ ପଛେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । “ପୂର୍ବରୁ ସରକାର ଏବଂ ବ୍ୟବସ୍ଥା ଯେପରି ମାର୍ଗରେ ପରିଚାଳିତ ହେଉଥିଲା, ସେଥିରେ ଉଭୟ ରାଜନୈତିକ ଏବଂ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ରହିଥିଲା । ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଆଜି ରାଜନୈତିକ ଇଚ୍ଛାଶକ୍ତି ରହିଛି ଏବଂ ପ୍ରଶାସନିକ ସ୍ତରରେ ନିରନ୍ତର ସୁଧାର ଅଣାଯାଉଛି”, ପ୍ରଧାନମନ୍ତ୍ରୀ କହିଥିଲେ । ପରିବର୍ତର୍ିତ ଭାରତ ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଏକବିଂଶ ଶତାବ୍ଦୀର ଭାରତ, ଆଧୁନିକ ଚିନ୍ତାଧାରା ସହିତ ମାନବଜାତିର କଲ୍ୟାଣ ପାଇଁ ପ୍ରଯୁକ୍ତିର ବ୍ୟବହାର ଉପରେ ଗୁରୁତ୍ୱାରୋପ କରୁଛି । “ନୂତନ ଭାରତ ନବୋନ୍ମେଷ, ଯୋଜନା ପ୍ରସ୍ତୁତି ଏବଂ ଯୋଜନାକୁ କାର୍ଯ୍ୟକାରୀ କରିବା ଉପରେ ଜୋର ଦେଉଛି । ଦୁର୍ନୀତିକୁ ବ୍ୟବସ୍ଥାର ଅଂଶବିଶେଷ ବୋଲି ଗ୍ରହଣ କରିବା ଲାଗି ନୂତନ ଭାରତ ଏବେ ପ୍ରସ୍ତୁତ ନାହିଁ । ଏହା ପାରଦର୍ଶୀ ବ୍ୟବସ୍ଥା, ଦକ୍ଷ ପ୍ରକ୍ରିୟା ଏବଂ ସକ୍ରିୟ ପ୍ରଶାସନ ଚାହେଁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ସର୍ବାଧିକ ନିୟନ୍ତ୍ରଣ ଏବଂ ସର୍ବାଧିକ କ୍ଷତି ଠାରୁ ସରକାର ଏବେ ସର୍ବନିମ୍ନ ସରକାର ଏବଂ ସର୍ବାଧିକ ପ୍ରଶାସନର ଯାତ୍ରା ଦିଗରେ ଆଗେଇ ଆସିଛନ୍ତି । ସରକାରୀ ପ୍ରକ୍ରିୟାକୁ ସରଳ କରିବା ମାଧ୍ୟମରେ ସାଧାରଣ ଜନତାଙ୍କ ଜୀବନରୁ ସରକାରୀ ହସ୍ତକ୍ଷେପ କମାଇବା ଲାଗି ସରକାର କିଭଳି ଭାବେ ଲକ୍ଷ୍ୟ ଆଧାରିତ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ କହିଥିଲେ । ନାଗରିକମାନଙ୍କୁ ସଶକ୍ତ କରିବା ଲାଗି ବିଶ୍ୱାସ ଓ ପ୍ରଯୁକ୍ତି ଉପରେ ସରକାର କିପରି ଭାବେ ଜୋର ଦେଇ ଆସୁଛନ୍ତି ତାହା ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ଏ ସରକାର ନାଗରିକଙ୍କୁ ଅବିଶ୍ୱାସ କରନ୍ତି ନାହିଁ ଏବଂ ଏହି କାରଣରୁ ବିଭିନ୍ନ ସ୍ତରରେ ବହୁସଂଖ୍ୟକ କାଗଜପତ୍ର ଯାଂଚ କରିବାର ପ୍ରକ୍ରିୟାକୁ ଉଠାଇ ଦିଆଯାଇଛି । ଫଳରେ ଜନ୍ମ ପ୍ରମାଣପତ୍ର ଠାରୁ ଆରମ୍ଭ କରି ପେନସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣପତ୍ର ପର୍ଯ୍ୟନ୍ତ ମଧ୍ୟସ୍ଥଙ୍କ ହସ୍ତକ୍ଷେପ ବିନା ପ୍ରଯୁକ୍ତି ମାଧ୍ୟମରେ ଜନସାଧାରଣଙ୍କୁ ମିଳିପାରୁଛି । ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ସାକ୍ଷାତକାର ପରୀକ୍ଷାକୁ ଉଠାଇ ଦିଆଯାଇଛି । ରୋଷେଇ ଗ୍ୟାସ ସିଲିଣ୍ଡର ବୁକିଂ ଠାରୁ ଆରମ୍ଭ କରି ଟିକସ ପଇଠ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାରେ ଫେସଲେସ୍ (ବ୍ୟକ୍ତିଗତ ସାକ୍ଷାତକାର ମୁକ୍ତ) ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏସବୁ ପଦକ୍ଷେପ ଦୁର୍ନୀତି ହ୍ରାସ କରିବା କ୍ଷେତ୍ରରେ ବିଶେଷ ସହାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ବିଶ୍ୱାସ ଓ ପ୍ରଯୁକ୍ତି ଅନୁକୂଳ ମନୋଭାବ କାରଣରୁ ଦକ୍ଷ ପ୍ରଶାସନ ଏବଂ ବ୍ୟବସାୟିକ ସୁଗମତା ଅଧିକ ସୁଦୃଢ଼ ହୋଇଛି । ସେ କହିଥିଲେ, ବ୍ୟବସାୟ ପାଇଁ ଅନୁମତି ଏବଂ ଅନୁପାଳନ ସଂକ୍ରାନ୍ତ କେତେକ ପୁରୁଣା କାଳିଆ ନିୟମ ଉଚ୍ଛେଦ କରାଯାଇଛି । ଏଥିସହିତ ବର୍ତର୍ମାନ ସମୟରେ ଦେଖାଦେଉଥିବା ସମସ୍ୟାର ସମାଧାନ ଲାଗି କେତେକ କଠୋର ଆଇନ ପ୍ରଣୟନ କରାଯାଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବହୁସଂଖ୍ୟକ ଅନୁପାଳନ ଆବଶ୍ୟକତାକୁ ଉଚ୍ଛେଦ କରାଯାଇଛି । ଏଥିସହିତ ବିଭିନ୍ନ ଅନୁମତି ଏବଂ ଅନୁପାଳନ ପ୍ରକ୍ରିୟାକୁ ଫେସଲେସ୍ କରାଯାଇଛି । ସେଲ୍ଫ-ଆସେସମେଂଟ (ଆତ୍ମ-ମୂଲ୍ୟାଙ୍କନ) ଏବଂ ସେଲ୍ଫ ଡିକ୍ଲାରେସନ (ସତ୍ୟପାଠ) ଭଳି ବ୍ୟବସ୍ଥାକୁ ପ୍ରୋତ୍ସାହିତ କରାଯାଉଛି । ସରକାରୀ ଇ-ମାର୍କେଟପ୍ଲେସ ଜିଇଏମ ଇ-ଟେଣ୍ଡର ପ୍ରଦାନ କ୍ଷେତ୍ରରେ ସ୍ୱଚ୍ଛତା ଆଣିଛି । ଡିଜିଟାଲ ବ୍ୟବସ୍ଥା ତଦନ୍ତ ପ୍ରକ୍ରିୟାକୁ ସହଜ କରିଛି । ସେହିପରି ପିଏମ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ନିଷ୍ପତି ଗ୍ରହଣ କରିବା ପ୍ରକ୍ରିୟାରେ ରହିଥିବା ବହୁ ବାଧା ଦୂର କରିବ । ସେ ଜୋର ଦେଇ କହିଥିଲେ ଯେ ବିଶ୍ୱାସ ଏବଂ ପ୍ରଯୁକ୍ତିର ଏହି ଯାତ୍ରାରେ ସିଭିସି ଓ ବିବିଆଇ ଭଳି ସଂସ୍ଥା ପ୍ରତି ଦେଶର ଭରସା ରହିବା ଅତି ଜରୁରି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଷ୍ଟ୍ରକୁ ପ୍ରାଥମିକତା ଏବଂ ପ୍ରମୁଖ ଗୁରୁତ୍ୱ ଦେବା ସବୁବେଳେ ଆମର ଲକ୍ଷ୍ୟ ହେବା ଉଚିତ୍ । ଆମର କାର୍ଯ୍ୟ ସର୍ବଦା ଜନକଲ୍ୟାଣ ଏବଂ ଜନସାଧାରଣଙ୍କ ଚିନ୍ତା ପ୍ରତି କେନ୍ଦ୍ରିତ ହେବା ଉଚିତ୍ ବୋଲି ସେ କହିଥିଲେ । ଏହି ନିୟମ ପାଳନ କରୁଥିବା ‘କର୍ମଯୋଗୀ’ଙ୍କୁ ସେ ସବୁବେଳେ ସମର୍ଥନ ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
‘ଦୁର୍ନୀତି ନିବାରଣ’ ଉପରେ ପ୍ରଧାନମନ୍ତ୍ରୀ ନିଜର ମତାମତ ପ୍ରଦାନ କରିଥିଲେ । ସେ କହିଥିଲେ ଯେ, ସତର୍କତା ମାଧ୍ୟମରେ ସମ୍ପୂର୍ଣ୍ଣ ଦୁର୍ନୀତି ନିବାରଣ ସମ୍ଭବ । ପ୍ରଯୁକ୍ତି ଏବଂ ଅନୁଭୂତି ମାଧ୍ୟମରେ ଏହାକୁ ସୁଦୃଢ଼ କରାଯାଇପାରିବ । ପ୍ରଯୁକ୍ତି ଓ ସତର୍କତା ସହିତ- ସରଳ, ସ୍ପଷ୍ଟ, ପାରଦର୍ଶୀ ପ୍ରକ୍ରିୟା ଦୁର୍ନୀତି ନିବାରଣ କ୍ଷେତ୍ରରେ ଦୀର୍ଘସ୍ଥାୟୀ ପ୍ରଭାବ ପକାଇବ । ଏହା ଆମ କାର୍ଯ୍ୟକୁ ସରଳ କରିବା ସହିତ ଦେଶର ସମ୍ବଳକୁ ସୁରକ୍ଷିତ ରଖିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦୁର୍ନୀତିଗ୍ରସ୍ତ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ପଛଘୁଂଚା ନଦେବା ଲାଗି ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ । ଦେଶ ଓ ଦେଶବାସୀଙ୍କ ସହ ବିଶ୍ୱାସଘାତକତା କରୁଥିବା କୌଣସି ବ୍ୟକ୍ତିଙ୍କୁ ଯେପରି କୌଣସି ସ୍ଥାନରେ ସୁରକ୍ଷିତ ସ୍ଥାନ ମିଳିବ ନାହିଁ ତାହା ସୁନିଶ୍ଚିତ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ କହିଥିଲେ । ସବୁଠୁ ଗରିବ ଅବହେଳିତ ଲୋକମାନଙ୍କ ମନରୁ ବ୍ୟବସ୍ଥା ପ୍ରତି ରହିଥିବା ଭୟ ଦୂର କରିବା ଲାଗି ପ୍ରଧାନମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରଯୁକ୍ତିଜନିତ ଆହ୍ୱାନ ଏବଂ ସାଇବର ଠକେଇ ପ୍ରତି ସତର୍କ ଓ ସଜାଗ ରହିବା ଲାଗି ମଧ୍ୟ ସେ ଆହ୍ୱାନ କରିଥିଲେ । ଆଇନ ଓ ପ୍ରକ୍ରିୟାକୁ ସରଳ କରିବା ଲାଗି ନିଜର ସ୍ୱାଧୀନତା ଦିବସ ଅଭିଭାଷଣ ଗୁରୁତ୍ୱାରୋପ କରିଥିବା ବିଷୟରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନୂତନ ଭାରତ ନିର୍ମାଣରେ ବାଧା ସୃଷ୍ଟି କରୁଥିବା ପ୍ରକ୍ରିୟା ଦୂର କରିବା ଦିଗରେ ସିଭିସି, ସିବିଆଇ ଓ ଅନ୍ୟ ଦୁର୍ନୀତି ନିବାରଣ ସଂସ୍ଥାଗୁଡ଼ିକ ପଦକ୍ଷେପ ଗ୍ରହଣ କରିବା ଉଚିତ୍ । ଶ୍ରୀ ମୋଦୀ କହିଥିଲେ ଯେ, ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ପାଇଁ ଭାରତର ନୀତିକୁ ଆପଣମାନେ ସୁଦୃଢ଼ କରିବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ଯେ, ଆପଣମାନେ ଆଇନକୁ ଏପରି ଭାବେ କାର୍ଯ୍ୟକାରୀ କରିବା ଜରୁରି ଯାହାଫଳରେ ଗରିବ ଲୋକମାନେ ବ୍ୟବସ୍ଥାର ଅଧିକ ନିକଟତର ହୋଇପାରିବେ ଏବଂ ଦୁର୍ନୀତିଗ୍ରସ୍ତମାନେ ଏହାଠାରୁ ବାହାରେ ରହିପାରିବେ ।
