ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ନେଗେଟିଭ୍ ଆରଟି ପିସିଆର ଟେଷ୍ଟ ରିପୋର୍ଟ ଜରୁରୀ
ନୂଆଦିଲ୍ଲୀ : ବିଦେଶରୁ ଆସୁଥିବା ଲୋକଙ୍କ ପାଇଁ ଭାରତ ସରକାର ନୂତନ ଗାଇଡ୍ଲାଇନ୍ ଜାରି କରିଛନ୍ତି । ମହାମାରୀ କରୋନାର ପ୍ରକୋପ ସରି ନଥିବାରୁ ଏଣିକି ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ ଆରଟି-ପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ନେଇ କୁହାଯାଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ନୂତନ ଗାଇଡ୍ଲାଇନ୍ ଅନୁଯାୟୀ, ବିଦେଶରୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ପାଇଁ ନେଗେଟିଭ୍ ଆରଟି ପିସିଆର ଟେଷ୍ଟ ରିପୋର୍ଟ ଜରୁରୀ । ଏହି ରିପୋର୍ଟ ଯାତ୍ରାର ଠିକ୍ ୭୨ ଘଂଟା ପୂର୍ବର ହୋଇଥିବା ଉଚିତ୍ । ଏପରିକି ସମସ୍ତ ଯାତ୍ରୀଙ୍କୁ ଏହି ରିପୋର୍ଟର ସତ୍ୟାସତ୍ୟ ପାଇଁ ଘୋଷଣାପତ୍ର ମଧ୍ୟ ଦେବାକୁ ପଡିବ । ଏଥିସହ ସରକାର ସେହି ଦେଶର ତାଲିକା ଜାରି କରିଛନ୍ତି, ଯେଉଁ ଦେଶର ନାଗରିକଙ୍କୁ ଭାରତ ଆସିଲେ କରୋନା ନିୟମ ମାନିବା ଜରୁରୀ । ଭାରତରେ ପହଂଚିବା ପରେ କରୋନା ଟେଷ୍ଟ ମଧ୍ୟ ସାମିଲ୍ ରହିଛି । ଉକ୍ତ ସୁଚୀରେ ରହିଛି ୟୁରୋପ ଦେଶ, ୟୁନାଇଟେଡ୍ କିଙ୍ଗଡମ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ବୋତସଭାନା, ଚୀନ, ମରିସସ, ନ୍ୟୁଜିଲାଣ୍ଡ ଓ ଜିମ୍ବାୱେ ସାମିଲ୍ । ଏହି ସବୁ ଦେଶକୁ ବିପଦ ଦେଶ ତାଲିକାରେ ରଖାଯାଇଛି । ସୂଚନା ଯେ, ବ୍ରିଟେନରେ କରୋନାର ଡେଲ୍ଟା ଭାରିଏଂଟର ନୂତନ ମ୍ୟୁଟେସନ ଆତଙ୍କ ଖେଳାଇଛି । ଅକ୍ଟୋବର ୧୧ ପରଠୁ ସେଠାରେ ପ୍ରତିଦିନ ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସବୁଠୁ ବଡ କଥା ଦେଶର ଅର୍ଦ୍ଧାଧିକ ଲୋକ କରୋନାର ଡବଲ ଡୋଜ୍ ନେଇ ସାରିଥିଲେ ବି ପ୍ରତିଦିନ ହଜାର ହଜାର ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏଠାରେ ବୁଷ୍ଟର ଡୋଜ୍ ମଧ୍ୟ ଲୋକେ ଲଗାଇବା ଆରମ୍ଭ କଲେଣି । ଏହା ସତ୍ୱେ କରୋନାର ମ୍ୟୁଟେସନ ଭର୍ସନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ତେଣୁ ବ୍ରିଟେନର ପ୍ରଭାବ ଭାରତ ଉପରେ ନପଡୁ ସେଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ କରିଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେଉଁ ଯାତ୍ରୀ ଏହି ନିୟମର ଉଲ୍ଲଂଘନ କରିବ, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।
