୨୬ ଡିସେମ୍ବରକୁ ‘ବୀର ବଲ ଦିବସ’ ଭାବେ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ‘ବୀର ବଲ ଦିବସ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିବା ବେଳେ ବୀର ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ଉଦବୋଧନରେ କହିଛନ୍ତି, ମୁଁ ଆଜି ଭାଗ୍ୟବାନ ମନେ କରୁଛି । କାରଣ ଆଜିର ଦିନକୁ ଅର୍ଥାତ୍ ୨୬ ଡିସେମ୍ବରକୁ ‘ବୀର ବଲ ଦିବସ’ ଭାବେ ଘୋଷଣା କରିବାର ସୁଯୋଗ ପାଇଛି । ଏହି ଦିବସ ଭାରତର ପରିଚୟକୁ କହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଉଦବୋଧନରେ କହିଛନ୍ତି ।
କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିବା ବେଳେ, ସ୍ଥାନୀୟ ବାସିନ୍ଦା ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେମାନେ କହିଛନ୍ତି, ଆଜିର ଦିନ ଆମ ପାଇଁ ସ୍ୱତନ୍ତ୍ର । ସାହିବଜାଦା ବାବା ଜୋରୱାର ସିଂ ଜୀ ଏବଂ ସାହିବଜାଦା ବାବା ଫତେହ ସିଂ ଜୀଙ୍କ ବଳିଦାନକୁ ଆଜି ସମ୍ମାନିତ କରାଯାଉଛି । ଆସନ୍ତା ବର୍ଷ ଠାରୁ ଏହି ଦିନକୁ ଛୁଟିଦିନ ଘୋଷଣା କରାଯିବା ଉଚିତ୍ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ତାହା ସହ ଆଜିର ଦିନ ଏକ ନୂତନ ଇତିହାସ ସୃଷ୍ଟି କରିଛି ବୋଲି ସାଧାରଣ ଜନତା କହିଛନ୍ତି ।
ଆଜି ପାଳିତ ହେଉଥିବା ପ୍ରଥମ ବୀର ବାଳକ ଦିବସ ଅବସରରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ଭାରତକୁ ବିକାଶର ଶିଖରକୁ ନେବାକୁ ହେଲେ ଆମକୁ ଅତୀତର ସଂକୀର୍ଣ୍ଣମନା ଇତିହାସକୁ ଭୁଲିବାକୁ ହେବ । ୧୦ମ ଶିଖ ଗୁରୁ ଗୋବିନ୍ଦ ସିଂଙ୍କ ଦୁଇ ପୁତ୍ର ଜୋରାୱର ସିଂ ଓ ଫତେ ସିଂ ଧର୍ମରକ୍ଷା ପାଇଁ ନିଜର ବଳୀଦାନ ଦେଇଥିଲେ । ଏହି ଦୁଇ ବାଳକ ଭାରତର ଅନେକ ପୀଢିଙ୍କୁ ଅନୁପ୍ରାଣିତ କରିଆସିଛନ୍ତି । ଯେଉଁ ଦେଶରେ ଏପରି ଇତିହାସ ରହିଛି ସେଠାରେ ଇତିହାସ ନାଁରେ କେତେକ ନିର୍ଦ୍ଦିଷ୍ଟ ବିଷୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି, ଯାହାକି ଆମମାନଙ୍କ ମଧ୍ୟରେ ହିନମନ୍ୟତା ସୃଷ୍ଟି କରୁଛି । ସେ କହିଛନ୍ତି ଯେ, ମୋଗଲ ସମ୍ରାଟ ଔରଙ୍ଗଜେବ ଭାରତକୁ ବଦଳାଇବାକୁ ଚାହୁଁଥିଲେ । କିନ୍ତୁ ଗୁରୁ ଗୋବିନ୍ଦ ସିଂ ଔରଙ୍ଗଜେବଙ୍କ ଏହି ଆତଙ୍କବାଦ ବିରୋଧରେ ଛିଡ଼ା ହୋଇଥିଲେ । ଔରଙ୍ଗଜେବ ତରବାରୀ ବଳରେ ଗୁରୁ ଗୋବିନ୍ଦ ସିଂଙ୍କ ଦୁଇ ପୁଅଙ୍କ ଧର୍ମ ପରିବର୍ତନ କରିବାକୁ ଚାହୁଁଥିଲେ । କିନ୍ତୁ ଧର୍ମ ରକ୍ଷା ପାଇଁ ଦୁଇ ବୀର ବାଳକ ବଳୀଦାନ ଦେଇଥିଲେ । ସୂଚନା ଯେ, ଧର୍ମ ପରିବର୍ତନ କରିବାକୁ ରାଜି ନହେବାରୁ ଔରଙ୍ଗଜେବଙ୍କ ନିର୍ଦ୍ଦେଶରେ ତାଙ୍କ ସେନାପତି ୱାଜିର ଖାଁ ଦୁଇ ବୀର ବାଳକଙ୍କୁ ଜିଅନ୍ତା ଏକ କାନ୍ଥରେ ପୋତି ଦେଇଥିଲେ ।
