ପାଣି ପଂଚାୟତ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି
କଟକ : ଆସନ୍ତା ଫେବୃଆରୀ ପହିଲାଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକରେ ପାଳିତ ହେବ ଚଳିତବର୍ଷର ପାଣି ପଂଚାୟତ ପକ୍ଷ । ଏହି ଅବସରରେ ମହାନଦୀ ସାଉଥ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ରାଜେଶ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ୱାଲମୀ, ନାବାର୍ଡ, ଲିଡ ବ୍ୟାଙ୍କ, କୃଷି, ମତ୍ସ୍ୟ, ପଶୁପାଳନ, କାଡା ଓ ଉଠା ଜଳସେଚନ, କ୍ଷୁଦ୍ର ଜଳ ସେଚନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ । ଜିଲ୍ଲାପାଳ ଶ୍ରୀ ଚୟନୀ କୃଷି ଓ କୃଷକର ଉନ୍ନତି କରଣ ପାଇଁ ସରକାର ବହୁ ପଦକ୍ଷେପ ନେଇଥିବାରୁ ପ୍ରଶାସନିକ ସ୍ତରରେ ସେସବୁର ସଫଳ ରୂପାୟନ ପାଇଁ ଯତ୍ନବାନ ହେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଜଳ ସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପି ସି ରଥ ବର୍ତ୍ତମାନ ଜିଲ୍ଲାରେ ଅଚଳ ହୋଇପଡିଥିବା ପାଣି ପଂଚାୟତକୁ ଜରୁରୀ କାଳୀନ ଭିତ୍ତିରେ ସକ୍ରିୟ କରାଇବା ସହିତ ସେମାନଙ୍କର ରହିଥିବା ସମସ୍ୟାଗୁଡିକୁ ଯଥାଶୀଘ୍ର ସମାଧାନ କରିବା ପାଇଁ ଅଧିନସ୍ଥ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରସ୍ତୁତି ବୈଠକରେ ମହାନଦୀ ନର୍ଥ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ସଂଜିବ କୁମାର ବେହେରା, ଉଠା ଜଳସେଚନର ଅଧୀକ୍ଷଣ ଯନ୍ତ୍ରୀ ପବିତ୍ର ପରିଡା, କ୍ଷୁଦ୍ର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଶଶାଙ୍କ ଶେଖର ପଣ୍ଡା, ସହକାରୀ ନିବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ବେହେରା, ପ୍ରାଚୀ ଡିଭିିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ ଚୈାଧୁରୀ, କାଡାର ଅଧୀକ୍ଷଣ ଯନ୍ତ୍ରୀ ଭୂପେଶ କୁମାର ମହାନ୍ତି, ଡ୍ରେନେଜ୍ ଡିଭିଜନର ସନ୍ଦିପ କୁମାର, ବ୍ୟାରେଜର ଅଧୀକ୍ଷଣ ଯନ୍ତ୍ରୀ ବାବୁଲାଲ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ନବକିଶୋର ମହାପାତ୍ର, ଅଜୟ କୁମାର ବେହେରା, ମଳୟ କୁମାର ସାହୁ, ଶକ୍ତି ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଯେ, ଏବେ ଜିଲ୍ଲାରେ କେବଳ ତାଳଦଣ୍ଡା ଓ କେନ୍ଦ୍ରାପଡା କେନାଲ ପାଶ୍ୱର୍ସ୍ଥ ୧୭୦ରୁ ଊର୍ଦ୍ଧ୍ୱ ପାଣି ପଂଚାୟତ ମାଧ୍ୟମରେ ଚାଷୀମାନେ ପାଣି ପାଇପାରୁଛନ୍ତି ।
