ପ୍ରେମାଚାର୍ଯ୍ୟଙ୍କ ଶ୍ରୀବିଗ୍ରହ ଓ ପାଦୁକା ଆସିଲା
କଟକ : ସର୍ବଧର୍ମ ସମନ୍ୱୟ ମତବାଦର ପ୍ରଚାରକ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଶ୍ରୀ ବିଗ୍ରହ ଓ ପାଦୁକା କଟକ ନିଆଳି ବ୍ଲକ ଅନ୍ତର୍ଗତ ପୋଦନା ଗ୍ରାମକୁ ସ୍ୱର୍ଗତା ଲତିକା ନାୟକଙ୍କ ଚତୁର୍ଦ୍ଦଶ ଉତ୍ସବ ଲାଗି ପହଂଚିଥିଲା । ସେଠାରେ ଶ୍ରୀ ଗୁରୁଦେବଙ୍କ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ପରେ ମାଆମାନେ ବନ୍ଦାପନା କରିଥିଲେ । ବାବାଜୀ ବିବେକାନନ୍ଦ ଦାସଙ୍କ ତତ୍ୱାବଧାନରେ ଏହି ଧାର୍ମିକ ସଭାରେ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରର ମୁଖ୍ୟ ବାବାଜୀ ଦାମୋଦର ଦାସ, ବାବାଜୀ ନେତ୍ରାନନ୍ଦ ଦାସ, ଚିତ୍ତବିନୋଦନ ଦାସ, ବାବାଜୀ ପୂର୍ଣ୍ଣାନନ୍ଦ ଦାସ, ଡ. ରତ୍ନାକର ମହାନ୍ତି, ଠାକୁର ନିଗମାନନ୍ଦଙ୍କ ଶିଷ୍ୟ ପ୍ରଭୁଭାଇ ପ୍ରମୁଖ ଯୋଗଦେଇ ସ୍ୱର୍ଗତା ଲତିକା ମା କିପରି ବାତ୍ସଲ୍ୟ ଭାବରେ ଶ୍ରୀ ଗୁରୁଦେବଙ୍କ ନିତ୍ୟ ସେବା କରିଥିଲେ ତାହା ସ୍ମୃତିଚାରଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସୁଶାନ୍ତ ନାୟକ, କୃଷ୍ଣଚନ୍ଦ୍ର ଓଝା, ସୁରେଶ ରାଉଳ ପରିଚାଳନା କରିଥିଲେ । ଓଡିଶାର ବିଭିନ୍ନ ଶାଖା ଆଶ୍ରମର ସେବକ, ସେବିକା, ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ବୋଲି ସେବକ ପ୍ରୀତିରଂଜନ ଦାସ ସୂଚନା ଦେଇଛନ୍ତି । ଶେଷରେ ଶ୍ରୀ ଗୁରୁଦେବଙ୍କ ବାତ୍ସଲ୍ୟ ଗୀତକୁ ସେବିକା ଶକୁନ୍ତଳା ଦାଶ, ସବିତା ଦାସ ପ୍ରମୁଖ ପରିବେଷଣ କରିଥିଲେ ।
