‘ପ୍ରାରମ୍ଭ’ ଯୋଜନା ଆରମ୍ଭ : ଅପହରଣ ନାବାଳିକାଙ୍କୁ ଉଦ୍ଧାର କରିବା ଦିଗରେ ଏହା କାମ କରିବ
ଭୁବନେଶ୍ୱର : ରାଜ୍ୟରେ ନାବାଳିକା ଅପହରଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଶେଷ କରି ଭୁବନେଶ୍ୱର ଏହା ବଢ଼ୁଥିବାର ଦେଖିବାକୁ ମିଳିଛି । ପ୍ରତିବର୍ଷ ପ୍ରାୟ ଭୁବନେଶ୍ୱରରେ ୩୦୦ରୁ ୩୫୦ ନାବାଳିକା ଅପହରଣ ମାମଲା ରୁଜୁ ହେଉଛି। ଅଧିକାଂଶ ଘଟଣାରେ ବିବାହ ପ୍ରଲୋଭନ ଦେଖାଇ ନାବାଳିକାମାନଙ୍କୁ ଅପହରଣ କରାଯାଉଥିବାର ଜଣାପଡିଛି। ଏହା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ। ଏହାକୁ ରୋକିବା ପାଇଁ କମିସନରେଟ ପୋଲିସ ପକ୍ଷରୁ ‘ପ୍ରାରମ୍ଭ’ ଯୋଜନା ଆରମ୍ଭ ହୋଇଛି। ଅପହରଣ ହୋଇଥିବା ନାବାଳିକାଙ୍କୁ ଉଦ୍ଧାର କରିବା ଦିଗରେ ଏହା କାମ କରିବ।
ଏନେଇ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଗତ ୬ ମାସ ତଳେ ଆରମ୍ଭ ହୋଇଥିବା କିଡନାପିଂ ସେଲ ଦ୍ୱାରା ଟ୍ଵିନସିଟିରୁ ୨୪୧ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା। ୨୯୫ଟି ଅପହରଣ ଅଭିଯୋଗର ତଦନ୍ତ ଶେଷ ହୋଇଥିଲା। ସୋସିଆଲ ମିଡିଆ ମାଧ୍ୟମରେ ଆମେ (ପୋଲିସ) ସଚେତନ କରିବୁ। ସ୍କୁଲ ଓ କଲେଜମାନଙ୍କରେ କର୍ମଶାଳା କରାଯିବ। ଏହି ଯୋଜନାରେ ଅଭିଯୋଗ କରିବା ପାଇଁ ପୁଲିସ ପକ୍ଷରୁ ହେଳ୍ପ ଲାଇନ ନମ୍ବର ଜାରି କରାଯାଇଛି। ଲୋକେ ଟୋଲ ଫ୍ରି ନମ୍ବର ୨୫୪୫୪୪୫ରେ ଯୋଗାଯୋଗ କରି ପାରିବେ। କେବଳ ଭୁବନେଶ୍ୱର ପାଇଁ ଏହି ନମ୍ବରଟି ଉପଲବ୍ଧ ହେବ। ଯାହା ଦିନ ୧୦ ଟାରୁ ସନ୍ଧ୍ୟା ୫ ଟା ଯାଏ ଖୋଲା ରହିବ ଏହି ସହାୟତା କେନ୍ଦ୍ର। ବସ୍ତିକୁ ଯାଇ ସୋସିଆଲ ମିଡିଆ କ୍ୟାମ୍ପେନ ସହ ପରିବାର ଲୋକଙ୍କୁ କାଉନସିଲ ମଧ୍ୟ କରାଯିବ। ଯାହା ଦ୍ୱାରା ସେମାନେ ନିଜ ପିଲାଙ୍କୁ ଆକଟ କରିପାରିବେ। ପ୍ରତି ସ୍କୁଲ କଲେଜ ଯାଇ ପିଲାଙ୍କୁ ବୁଝାଯିବ। ଏହା ସହିତ ଚକ୍ରବ୍ୟୁହରେ ଫସି ଯାଇଥିବା ଝିଅମାନଙ୍କୁ କାଉନସେଲିଂ କରି ତାଙ୍କ ସହିତ ଶକ୍ତ ଚଟାଣ ଭଳି କମିସନରେଟ ପୁଲିସ ଠିଆ ହେବ। ଏହି ସେଲକୁ ଅଧିକ ଶକ୍ତ କରିବା ପାଇଁ ଲକ୍ଷ ରଖିଛି କମିସନରେଟ ପୋଲିସ। କିସ୍ ଏବଂ ଏସଏନ ମହାନ୍ତି ଫାଉଣ୍ଡେସନ ସହଯୋଗରେ ଏହି ଆପ୍ ଲଞ୍ଚ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୟୁଥ ଆଇକନ୍ ତଥା ବଲିଉଡ ଷ୍ଟାର ରାହୁଲ ବୋଷ ଓ କିସ୍ ଓ କିଟ୍ ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଯୋଗ ଦେଇ କହିଛନ୍ତି, ସୋସିଆଲ ମିଡିଆ ବ୍ୟବହାର କରି ବହୁତ ଛାତ୍ରୀ ଏଥିରେ ଲିପ୍ତ ରହୁଥିବାରୁ ସାଇବର ଠକମାନେ ସୋସିଆଲ ମିଡିଆରେ ସେମାନଙ୍କୁ ଟାର୍ଗେଟ କରନ୍ତି।ସେମାନଙ୍କ ଗତିବିଧି ଉପରେ ନଜର ରଖନ୍ତି ଏବଂ ଅସଦାଚରଣ ମଧ୍ୟ କରିଥାନ୍ତି। ଝିଅମାନେ ବିଶେଷ କରି ସୋସିଆଲ ମିଡିଆ ବ୍ୟବହାର ସମୟରେ ଭଦ୍ରମୁଖା ପିନ୍ଧା ସାଇବର ଠକମାନଙ୍କ ଠାରୁ ବଞ୍ଚିବା ପାଇଁ ନିଜ ଆଖି ଖୋଲା ରଖିବାର ଆବଶ୍ୟକ ରହିଛି। ଏଥିପାଇଁ ସେମାନେ ସଚେତନ ରହିବା ଆବଶ୍ୟକ।
