ନବୀନଙ୍କୁ ସ୍ନେହରେ ଆଉଁଶିଦେଲେ ପ୍ରମିଳା ମାଉସୀ
ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘଦିନ ପରେ ତିନିଦିନଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଗତକାଲି ନୂଆଦିଲ୍ଲୀରେ ପହଞ୍ଚିବା ପରେ ସେ ବିବିସି ତରଫରୁ ଆୟୋଜିତ ‘ସ୍ପୋର୍ଟ୍ସ ଓମେନ୍ ଅଫ୍ ଦି ଇୟର’ ଆୱାର୍ଡ଼ ସେରିମୋନିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ମହିଳା ହକି ଦଳକୁ ପୁରସ୍କୃତ କରିଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଜବରଦସ୍ତ ପ୍ରଦର୍ଶନ ପରେ ସାରା ଦେଶ ଭାରତୀୟ ହକିର ସ୍ପନ୍ସରସିପ୍ ଦାୟିତ୍ୱ ମୁଣ୍ଡାଇଥିବା ଓଡ଼ିଶା ସରକାର ଏବଂ ନବୀନ ପଟ୍ଟନାୟକଙ୍କ ଗୁଣଗାନ କରୁଛି ।
ଆଜି ଗସ୍ତର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ସଂସଦ ଭବନରେ ପହଞ୍ଚିଥିଲେ । ସେଠାରେ ସେ ବିଜେଡିର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଦଳୀୟ ସାଂସଦଙ୍କ ସହ ହସ ମଜା କରୁଥିବାର ଦେଖିବାକୁ ମିଳିଥିଲା । ସବୁଠୁ ରୋଚକ କଥା ହେଉଛି ଆସ୍କା ସାଂସଦ ପ୍ରମିଳା ବିଷୋୟୀ ମୁଖ୍ୟମନ୍ତ୍ରୀଙ୍କୁ ନିଜ ହାତରେ ଆଉଁଶିଦେଇଥିଲେ । ଯେଉଁ ଫଟୋଟି ଏବେ ଭାଇରାଲ୍ ହେବାରେ ଲାଗିଛି । ପୂର୍ବରୁ ପ୍ରମିଳା ମାଉସୀ ମୁଖ୍ୟମନ୍ତ୍ରୀଙ୍କ ସହ ହେଲିକପ୍ଟରରେ ବସିବାର ଏକ ଫୋଟୋ ମଧ୍ୟ ଭାଇରାଲ୍ ହୋଇଥିଲା । ଆସ୍କାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ନେତୃତ୍ୱ ନେଉଥିବା ପ୍ରମିଳାଙ୍କୁ ୨୦୧୯ରେ ଆସ୍କାରୁ ବିଜେଡି ଲୋକସଭା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ ମୁଖ୍ୟମନ୍ତ୍ରୀ ।
ଆଜି ସଂସଦ ଭବନ ଠାରେ ଥିବା ବିଜେଡି ସଂସଦୀୟ କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଗସ୍ତ କରିଥିଲେ । ସେଠାରେ ବିଜୁ ବାବୁଙ୍କ ଫଟୋ ଚିତ୍ର ତଳେ ଥିବା ଏକ ଚଉକିରେ ବସି ସେ ସମସ୍ତ ଦଳୀୟ ସାଂସଦଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ସେ ସମସ୍ତଙ୍କୁ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଜୋରଦାର ଢଙ୍ଗରେ ଗୃହରେ ଉପସ୍ଥାପନ କରିବାକୁ ଗୁରୁମନ୍ତ୍ର ଦେଇଛନ୍ତି । ପରେ ମୁଖ୍ୟମନ୍ତ୍ରୀ ପାର୍ଲାମେଣ୍ଟର ସେଣ୍ଟ୍ରାଲ୍ ହଲକୁ ଯାଇ ସେଠାରେ ମଧ୍ୟ ବିଜେଡି ଓ ଅନ୍ୟ ଦଳର ସାଂସଦଙ୍କ ସହ କିଛି ସମୟ ବିତାଇଥିଲେ । ଆଜି ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସହିତ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ । କୋଇଲା ରୟାଲଟି ସଂଶୋଧନ, ଓଡ଼ିଶା ବିଧାନ ପରିଷଦ ପ୍ରସଙ୍ଗ, ବାତ୍ୟା ନିରୋଧୀ ବିଦ୍ୟୁତ୍ ଭିତ୍ତିଭୂମି, ଉଷୁନା ଚାଉଳ ଉଠାଣ, ଜିଏସ୍ଟି ବକେୟା ପ୍ରଦାନ, ସ୍ପେସିଆଲ୍ ଫୋକସ ଷ୍ଟେଟ୍ ମାନ୍ୟତା ଆଦି ବିଷୟ ଉପରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ହେଭିୱେଟ୍ ମନ୍ତ୍ରୀଙ୍କ ସହ ଆଲୋଚନା କରିବାର ସମ୍ଭାବନା ରହିଛିି । ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ଭିକେ ପାଣ୍ଡିଆନ୍ ମଧ୍ୟ ସଂସଦ ଭବନ ଗସ୍ତ କରିଛନ୍ତି ।
