ଦୁଇ ଦିନିଆ ଭାରତ ବନ୍ଦ ଯୋଗୁଁ ପ୍ରଭାବିତ ହୋଇଛି ୧୮ ହଜାର କୋଟିର ବ୍ୟାଙ୍କ କାରବାର : ଏଆଇବିଇଏ
ନୂଆଦିଲ୍ଲୀ : କେନ୍ଦ୍ରୀୟ ଟ୍ରେଡ ୟୁନିୟନଙ୍କ ଦ୍ୱାରା ଦିଆଯାଇଥିବା ଦୁଇ ଦିନିଆ ଭାରତ ବନ୍ଦରେ ଦେଶର ବ୍ୟାଙ୍କ ୟୁନିୟନମାନେ ମଧ୍ୟ ସାମିଲ ହୋଇଥିଲେ । ଫଳରେ ଏହି ବନ୍ଦ ଯୋଗୁ ବ୍ୟାଙ୍କମାନଙ୍କ ଦ୍ୱାରା ହେଉଥିବା ଆର୍ଥିକ ନେଣଦେଣ ଗୁରୁତର ପ୍ରଭାବିତ ହୋଇଛି। ଏଥିରେ ଅନୁନ୍ୟ ୧୮ ହଜାର କୋଟି ଟଙ୍କାର କାରବାର ପ୍ରଭାବିତ ହୋଇଥିବା ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ) ସୂଚନା ଦେଇଛି।
ଏଆଇବିଇଏଙ୍କ ଅନୁସାରେ ଚେନ୍ନାଇରେ କାର୍ଯ୍ୟରତ ଦକ୍ଷିଣ ଗ୍ରିଡରେ ପାଖାପାଖି ୬ ଲକ୍ଷ ଚେକ୍ ପାରିତ ହୋଇ ନପାରି ଅଟକି ଯାଇଛି। ଏହି ଅନୁସାରେ ରାଷ୍ଟ୍ରୀୟ ଆକଳନ କଲେ ସଂଖ୍ୟା ପ୍ରାୟ ୨୦ ଲକ୍ଷରୁ ବି ଅଧିକ ହୋଇପାରେ ବୋଲି ଏଆଇବିଇଏ କହିଛନ୍ତି। ସୋମବାର ଓ ମଙ୍ଗଳବାର ହରତାଳ କାଳରେ ଦକ୍ଷିଣ ଗ୍ରିଡରେ ୫ ହଜାର କୋଟି ଟଙ୍କାର ୬ ଲକ୍ଷ ଚେକ୍ ଗୃହୀତ ହୋଇପାରି ନାହିଁ। କାରଣ ହରତାଳ ଯୋଗୁ ଶାଖାମାନେ ଅଚଳ ଥିଲେ ବୋଲି କୁହାଯାଇଛି ।
ହରତାଳ ଯୋଗୁ ବ୍ୟାଙ୍କମାନଙ୍କରେ ସାଧାରଣ କାରବାର ହୋଇପାରିନଥିଲା। ଜାତୀୟ ସ୍ତରରେ ୧୮ ହଜାର କୋଟି ଟଙ୍କାର ୨୦ ହଜାର ଚେକ୍ ଲିଖିତ ନିକାଶି ଲାଗି ପଠାଯାଇ ପାରି ନାହିଁ। ଦେଶର ବ୍ୟାଙ୍କ କର୍ମଚାରୀ ସଂଘଙ୍କ ମଧ୍ୟରେ ଏଆଇବିଇଏ ଅନ୍ୟତମ ଓ ପ୍ରମୁଖ କର୍ମଚାରୀ ସଂଘ। ତେବେ ଏଥିଲାଗି ଜନ ସାଧାରଣ ଯେଉଁପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସେଥିଲାଗି ସଂଘ ଦୁଃଖ ପ୍ରକାଶ କରିଛି। ହେଲେ ସରକାରୀ କ୍ଷେତ୍ରର ବ୍ୟାଙ୍କିଙ୍ଗ ସୁରକ୍ଷା ଲାଗି ଅନ୍ୟ କୌଣସି ପନ୍ଥା ନଥିଲା ବୋଲି କର୍ମଚାରୀ ସଂଘର ସଭାପତି ସିଏଚ ଭେଙ୍କଟାଚଲମ କହିଛନ୍ତି ।
ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ନେଇ ଏଆଇବିଇଏ ଅସନ୍ତୁଷ୍ଟ। ଲୋକଙ୍କୁ ବ୍ୟାଙ୍କ ଚାକିରୀ ଏତେ ସହଜରେ ମିଳେ ନାହିଁ। କଠିନ ନିଯୁକ୍ତି ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଲକ୍ଷଲକ୍ଷ ଯୁବକ ଯୁବତୀ ଦେଶର ବ୍ୟାଙ୍କିଙ୍ଗ ସେକ୍ଟରରେ କାମ କରୁଛନ୍ତି। ସେହିପରି ଦେଶର ବ୍ୟାପକ ଅର୍ଥନୈତିକ ବିକାଶରେ ରାଷ୍ଟ୍ରାୟତ ବ୍ୟାଙ୍କମାନେ ଇଞ୍ଜିନ ଭଳି। ଏଥିରେ ଲୋକଙ୍କ ସଞ୍ଚୟ ଓ ଅଭାବୀ କ୍ଷେତ୍ରକୁ ଋଣ ସମ୍ପ୍ରସାରଣ ନିମନ୍ତେ ରାଷ୍ଟ୍ରୟାତ ବ୍ୟାଙ୍କମାନେ ହିଁ ହାତ ବଢାଇଥାନ୍ତି। ଏଥିରେ ବ୍ୟାଙ୍କ ଘରୋଇକରଣ ଲାଗି ସରକାରଙ୍କ ବିକୃତ ଯୋଜନା ଅତ୍ୟନ୍ତ ନିନ୍ଦନୀୟ ବୋଲି ଭେଙ୍କଟାଚଲମ କହିଛନ୍ତି ।
ସରକାର ମୁଦ୍ରାସ୍ପିତି ଓ ମୂଲ୍ୟବୃଦ୍ଧି ନିୟନ୍ତ୍ରଣ ଲାଗି ଅକ୍ଷମ ହୋଇପଡିଥିବା ବେଳେ ବ୍ୟାଙ୍କ କର୍ମଚାରୀମାନେ ଜୀବନଯାପନ ଲାଗି ପରିଭାଷିତ ପେନସନ ଲାଗି ମଧ୍ୟ ହକଦାର ଅଟନ୍ତି। ଏହା ଏହି ହରତାଳର ଏକ ମୁଖ୍ୟ ଦାବି ବୋଲି ଏଆଇବିଇଏ କହିଛନ୍ତି। ସେହିପରି ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଆଉଟସୋର୍ସିଂର ମଧ୍ୟ ସଂଘ ବିରୋଧ କରୁଛି। ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସରକାର ଏପରି ୪ଲକ୍ଷ ୭୩ ହଜାର କର୍ମଚାରୀଙ୍କୁ ନିଯୁକ୍ତ କରିଛନ୍ତି ଯେଉଁମାନେ ନିୟମିତ ବ୍ୟାଙ୍କ କର୍ମଚାରୀଙ୍କ ପରିକାମ ତ କରନ୍ତି ହେଲେ ସେମାନଙ୍କ ନିୟମିତ ରୋଜଗାର ଓ ନିଯୁକ୍ତିର କୌଣସି ଗ୍ୟାରେଣ୍ଟି ନାହିଁ।
ସରକାରଙ୍କ ଏପରି କର୍ମଚାରୀ, ଶ୍ରମିକ, କୃଷକ ଓ ଜନ ବିରୋଧୀ ନୀତି ବିରୋଧରେ ୨୮ ମାର୍ଚ୍ଚ ସକାଳୁ ୧୦ କେନ୍ଦ୍ରୀୟ ଟ୍ରେଡ ୟୁନିୟନଙ୍କ ଡାକରାରେ ଦୁଇ ଦିବସୀୟ ହରତାଳ ଆହ୍ୱାନ କରାଯାଇଥିଲା। ଦେଶର ୮ ରାଜ୍ୟରେ ଏହି ହରତାଳ ବନ୍ଦ ଭଳି ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଦିଲ୍ଲୀ ଓ ମୁମ୍ବାଇ ଭଳି ବଡବଡ ସହରାଞ୍ଚଳମାନଙ୍କରେ ନ୍ୟୁନତମ ପ୍ରଭାବ ଦେଖାଯାଇଛି। ତେବେ ତାମିଲନାଡୁ, କେରଳ, ପୁଡୁଚେରୀ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା, ଆସାମ, ଝାରଖଣ୍ଡ ଓ ହରିୟାଣାରେ ହରତାଳ ପ୍ରଭାବୀ ଅନୁଭୂତ ହୋଇଛି। ସେହିପରି ଗୋଆ, କର୍ଣ୍ଣାଟକ, ମହାରାଷ୍ଟ୍ର, ଛତିଶଗଡ, ପଞ୍ଜାବ, ବିହାର, ରାଜସ୍ଥାନ, ପଶ୍ଚିମବଙ୍ଗ, ମେଘାଲୟ ଓ ଅଋଣାଚଳ ପ୍ରଦେଶ ଆଦି ରାଜ୍ୟମାନଙ୍କର ଔଦ୍ୟୋଗିକ କ୍ଷେତ୍ରରେ ହରତାଳର ସମ୍ପୂର୍ଣ୍ଣ ପ୍ରଭାବ ଦେଖାଯାଇଛି।
