ସମ୍ଭାବ୍ୟ ବାତ୍ୟା : ସତର୍କ ରହିବାକୁ ୧୮ ଜିଲାପାଳଙ୍କୁ ଏସଆରସିଙ୍କ ଚିଠି
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ ରହିବାକୁ ୧୮ ଜିଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ଚିଠି ଲେଖି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ଼, କଟକ, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଢ଼େଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ ଜିଲାପାଳଙ୍କୁ ସଜାଗ ରହିବାକୁ କୁହାଯାଇଛି । ଆବଶ୍ୟକ ସ୍ଥଳେ ସ୍କୁଲ କୋଠାକୁ ବାତ୍ୟା ଆଶ୍ରୟସ୍ଥଳ କରାଯିବ । ଜଳ ଯୋଗାଣ, ଜେନେରେଟର ବ୍ୟବସ୍ଥା ପାଇଁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପରବର୍ତ୍ତି ମୁକାବିଲା ପାଇଁ ଯନ୍ତ୍ରପାତି ପ୍ରସ୍ତୁତ ଅଛି ବୋଲି ଏସଆରସି କହିଛନ୍ତି ।
ସେହିପରି ୬ ତାରିଖ ସୁଦ୍ଧା ଏହା ଦକ୍ଷିଣ ଆଣ୍ଡାମାନ ସାଗର ଓ ନିକଟସ୍ଥ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ । ତା’ ପରେ ଏହା ଉତ୍ତର ପଶ୍ଚିମ ଦିଗରେ ୨ଦିନ ପାଇଁ ଗତି କରିବ। କ୍ରମଶଃ ଏହା ଅଧିକ ଘନିଭୂତ ହୋଇ ଅବପାତରେ ପରିଣତ ହୋଇପାରେ । ଏଭଳି ସ୍ଥିତିରେ ଆଣ୍ଡାମାନ ସାଗର, ନିକଟସ୍ଥ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରର ମତ୍ସଜୀବୀଙ୍କୁ ଆସନ୍ତା ୫ରୁ ୮ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକେ ଛାନିଆ ନହୋଇ ଅଯଥା ଅତ୍ୟାବଶ୍ୟକ ଜିନିଷ ବହୁ ମାତ୍ରାରେ କିଣି ମଜୁଦ୍ ନରଖିବାକୁ ପରାମର୍ଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏହା ଦ୍ବାରା ବଜାରରେ କୃତ୍ରିମ ଅଭାବ ଦେଖାଦେଇପାରେ ଓ ଅସାଧୁ ବ୍ୟବସାୟୀ ଏହାର ସୁଯୋଗ ନେଇ ଦରବୃଦ୍ଧି କରିପାରନ୍ତି ବୋଲି ଟ୍ବିଟ୍ କରିଛନ୍ତି ମନ୍ତ୍ରୀ । ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ କ’ଣ ରହିବ ଏପର୍ଯ୍ୟନ୍ତ ତା’ର କୌଣସି ପୂର୍ବାନୁମାନ କରାଯାଇ ନାହିଁ । ତଥାପି ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲ କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ସବୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଓଡ଼ିଶାରେ ୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଲାଗି ରହିବ । କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇବ । ତେବେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଗତ କିଛି ବର୍ଷ ହେବ ଏପ୍ରିଲ ଓ ମେ’ ମାସ ବା ପ୍ରି ମନସୁନ୍ରେ ଲଘୁଚାପ ସୃଷ୍ଟି ହୋଇ ବାତ୍ୟାର ରୂପ ନେଉଥିବା ଦେଖିବାକୁ ମିଳୁଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।
