ଯଦି ବାତ୍ୟା ହୁଏ, ଆମେ ପ୍ରସ୍ତୁତ : ଏସ୍ଆର୍ସି
ଏନ୍ଡିଆରଏଫ୍, ଓଡ୍ରାଫ, ଅଗ୍ନିଶମ ଆଗୁଆ ପ୍ରସ୍ତୁତ ରହିବାକୁ ପରାମର୍ଶ
ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଘୂର୍ଣ୍ଣିବଳୟ ଅବପାତର ରୂପ ନେଇପାରେ । ଅବପାତରୁ ତୀବ୍ର ଅବପାତ ଓ ବାତ୍ୟା ହେବ କି ନାହିଁ ଆସନ୍ତା କାଲି ସନ୍ଧ୍ୟାବେଳକୁ ଏହା ସ୍ପଷ୍ଟ ହୋଇଯିବ । ତେବେ ଏଥିପାଇଁ ଆମେ ପ୍ରସ୍ତୁତ । ସରକାର ୧୮ଟି ଜିଲ୍ଲାକୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରାଯାଇଛି । ଏନ୍ଡିଆରଏଫ୍, ଓଡ୍ରାଫ, ରାଜ୍ୟ ଅଗ୍ନିଶମ ସେବାର ଅଧିକାରୀମାନଙ୍କ ସହିତ ଆଗୁଆ ପ୍ରସ୍ତୁତି ସଂପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ଆବଶ୍ୟକ ସ୍ଥଳେ ସେମାନଙ୍କୁ ମୁତୟନ କରାଯିବ ବୋଲି ସମ୍ଭାବ୍ୟ ବାତ୍ୟା ସଂପର୍କରେ ରାଜୀବ ଭବନଠାରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଛନ୍ତି । ସେ କହିଛନ୍ତି ଯେ ଶକ୍ତି ବିଭାଗ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ସହିତ ନିରନ୍ତର ବିଦ୍ୟୁତ ଶକ୍ତି ଯୋଗାଣ ଓ ପାନୀୟ ଜଳ ଯୋଗାଇଦେବା ନେଇ ଆଲୋଚନା ହୋଇଛି । ଆସନ୍ତାକାଲି ଟେଲିକମ୍ ସେବା ଯୋଗାଣକାରୀମାନଙ୍କ ସହିତ ଆଲୋଚନା କରାଯିବ । ଲୋକମାନଙ୍କ ମଧ୍ୟରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଡର ପଶିଥିବାବେଳେ ଜନସାଧାରଣଙ୍କୁ ଅଯଥା ଆତଙ୍କିତ କରାଯିବା ଉଚିତ ନୁହେଁ । ଅସାଧୁ ବ୍ୟବସାୟୀମାନେ ଏହି ସମୟର ଫାଇଦା ଉଠାଇବାକୁ ଯାଇ ଦର ବଢ଼ାଇବାକୁ ଚେଷ୍ଟା କରୁଛନ୍ତି । ଏଥିରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରାଯାଇଛି । ଖରାଦିନିଆ ବାତ୍ୟାର ପ୍ରାୟତଃ ବିଶେଷ ପ୍ରଭାବ ପଡେ ନାହିଁ । ମାର୍କେଟରେ ସମସ୍ତ ଜିନିଷ ମହଜୁଦ ଅଛି । କୃତ୍ରିମ ଅଭାବ ସୃଷ୍ଟି କରିବାର କୌଣସି ଆବଶ୍ୟକତା ନାହିଁ । ଆମେମାନେ ବାତ୍ୟାକୁ ନେଇ ସତର୍କ ରହିବା ଏବଂ କୌଣସି ପରିସ୍ଥିତିରେ ଆତଙ୍କିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି ।
ଆଣ୍ଡାମାନ ସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଗୁରୁବାର ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏଥିରେ ବାତ୍ୟା ମୁକାବିଲା ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି । ଜରୁରୀକାଳୀନ ଅପରେସନ ସେଂଟର, ୨୪ ଘଂଟିଆ କେଂଟ୍ରାଲ ରୁମ ଖୋଲିବା, ବିପଦପୂର୍ଣ୍ଣ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତରିତ କରିବା, ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତି, ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ ଆଦି ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଥିବା ଜଣାପଡିଛି । ଏହାପୂର୍ବରୁ ସମ୍ଭାବ୍ୟ ବାତ୍ୟା ନେଇ ୧୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ ଏସଆରସି । ସ୍ୱତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ ଜେନା ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସତର୍କ ରହିବା ଓ ଆବଶ୍ୟକୀୟ ପ୍ରସ୍ତୁତି ରଖିବାକୁ ପରାମର୍ଶ ଦେଇଛନ୍ତି । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ନୟାଗଡ଼, କଟକ, ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଓ କନ୍ଧମାଳର ଜିଲ୍ଲା ଏଥିରେ ସାମିଲ ରହିଛି । ଏହି ପତ୍ରରେ ଏସବୁ ଜିଲ୍ଲାରେ ୨୪ ଘଂଟିିଆ ଜରୁରୀ ଅପରେସନ୍ ଅଫିସ୍ ଓ କେଂଟ୍ରାଲ ରୁମ୍ ଖୋଲା ରଖିବାକୁ କୁହାଯାଇଛି ସମସ୍ତ ବାତ୍ୟା ଓ ବନ୍ୟା ଆଶୟସ୍ଥଳୀଗୁଡ଼ିକୁ ତନଖି କରିବା ଲାଗି ବିଡିଓ ଏବଂ ତହସିଲଦାରମାନଙ୍କୁ କୁହାଯାଇଛି । ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୬ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହାପରେ ଏହା ବାତ୍ୟାର ରୂପ ନେବ । ବାତ୍ୟା ଏବେ କେଉଁଠି ସ୍ଥଳଭାଗକୁ ଛୁଇଁବ ତାହା ସ୍ପଷ୍ଟ ହୋଇନାହିଁ ।
