ଦିଲ୍ଲୀରେ ବୃଦ୍ଧି ପାଉଛି ପ୍ରଦୂଷଣ ସ୍ତର, ଆସନ୍ତାକାଲି ଠାରୁ ସ୍କୁଲ୍ ବନ୍ଦ
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବୃଦ୍ଧି ପାଉଛି ପ୍ରଦୂଷଣ ସ୍ତର । ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପ୍ରଦୂଷଣ ସ୍ତର ବୃଦ୍ଧି ପାଉଥିବାରୁ ଆସନ୍ତାକାଲି ଠାରୁ ସବୁ ପ୍ରାଇମେରୀ ସ୍ତରର ସ୍କୁଲ୍ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ସବୁ ପ୍ରାଇମେରୀ ସ୍କୁଲ୍ ବନ୍ଦ ରହିବ । ଶୁକ୍ରବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି। ରାଜଧାନୀରେ ପୁଣି ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ କରିବାକୁ ମଧ୍ୟ ଦିଲ୍ଲୀ ସରକାର ବିଚାର କରୁଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି । ଏହା ସହ ପଞ୍ଚମ ଶ୍ରେଣୀର ପିଲାମାନଙ୍କ ପାଇଁ ସମସ୍ତ ଆଉଟଡୋର୍ କାର୍ଯ୍ୟକଳାପ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେଜ୍ରିୱାଲ କହିଛନ୍ତି ଯେ ଉତ୍ତର ଭାରତକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ କେନ୍ଦ୍ରକୁ ବିଶେଷ ପଦକ୍ଷେପ ନେବାକୁ ପଡ଼ିବ । ଏହା ଆରୋପ-ପ୍ରତ୍ୟାରୋପ ଏବଂ ରାଜନୀତିର ସମୟ ନୁହଁ।
ଦିଲ୍ଲୀରେ ବାୟୁର ଗୁଣବତ୍ତା ଦିନକୁ ଦିନ ଅତ୍ୟନ୍ତ ଖାରପ ଶ୍ରେଣୀରେ ପହଞ୍ଚିଲାଣି। ଏଠାରେ ନିଶ୍ୱାସ ନେବା ବି ମୁସ୍କିଲ ହେଲାଣି। ଏହା ପୂରା ଉତ୍ତର ଭାରତର ସମସ୍ୟା। ଦିଲ୍ଲୀ, ଚରଖି, ଦାଦରୀ, ଜିନ୍ଦ, ମାନେସର, ଫରିଦାବାଦ ସବୁଠି ସ୍ଥିତି ଗମ୍ଭୀର ରହିଛି। ଏଥିପାଇଁ ଆମ ଆଦମୀ ପାର୍ଟି ଦାୟୀ ନୁହେଁ। ଏଥିପାଇଁ କେନ୍ଦ୍ର ସରକାର କିଛି ଉଚିତ ପଦକ୍ଷେପ ନେବା ଉଚିତ ବୋଲି କେଜ୍ରିୱାଲ କହିଛନ୍ତି। ପଞ୍ଚାବରେ ଆମ୍ ଆଦମୀ ପାର୍ଟି ସରକାର ଅଛି। ଏଠାରେ ଜଳୁଥିବା ନଡା ପାଇଁ ଆମେ ଦାୟୀ। ତେବେ ଏହାକୁ ନେଇ ରାଜନୀତି କରିବା କିମ୍ବା ପରସ୍ପର ଉପରକୁ ଆଙ୍ଗୁଠି ଉଠାଇବା ଠିକ୍ ନୁହେଁ। ଏହାଦ୍ୱାରା ସମାଧାନର ବାଟ ବାହାରିବ ନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି।
