ପଲ୍ୟୁଟାରୀ ୱାର୍ଲ୍ଡ ଉଦ୍ଘାଟିତ; ସୁଲଭ ମୂଲ୍ୟରେ ମିଳିବ ବିଦେଶୀ ପକ୍ଷୀ
ନୀଳଗିରି : ସଂଘର୍ଷରୁ କର୍ମମୟ ଜୀବନକୁ ଛାଡ଼ି ପାରିନାହାନ୍ତି ନୀଳଗିରି ଚିମିନିଭାଟି ଅଞ୍ଚଳର ଚିନ୍ମୟ ସାହୁ (୩୪) । ବିଦେଶୀ ପକ୍ଷୀକୁ ଚାଷ କରି ଲୋକଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେବା ସହ ନିଜେ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟ ରଖିଛନ୍ତି ଏହି ଯୁବକ । ଧର୍ମପତ୍ନୀ ରଞ୍ଜିତା ସାହୁଙ୍କ ସହଯୋଗରେ ସେ ଏକ ଶାଖା ଖୋଲିଛନ୍ତି ।
ଏହି ଅବସରରେ ଓଲଡଙ୍ଗ ଛକରେ ପଲ୍ୟୁଟାରୀ ୱାର୍ଲ୍ଡ ନାମରେ ଏକ ଶାଖାକୁ ନୀଳଗିରି ଏନ୍ଏସି ଅଧ୍ୟକ୍ଷା ଅମ୍ବିକା ଦାସ ଉଦ୍ଘାଟନ କରିଥିଲେ । ବିଶେଷ କରି ଜାପାନିଜ୍ କ୍ୟୁଏଲ ବା ଗୁଣ୍ଡୁରୀ ପକ୍ଷୀ ଅଣ୍ଡାକୁ ଦେଶୀୟ ଭାବେ ଚାଷ କରି ଲୋକଙ୍କୁ ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହି ପକ୍ଷୀର ମାଂସ ଓ ଅଣ୍ଡା ସ୍ୱାସ୍ଥ୍ୟ ପକ୍ଷେ ହିତକାରୀ ଏବଂ ରୋଗପ୍ରତିଶେଧକ ଶକ୍ତି ବୃଦ୍ଧିରେ ସହଯୋଗ କରିଥାଏ । ରୁଷିଆ, କୋରିଆ, ଜାପାନ ପ୍ରଭୃତି ପୂର୍ବ ଏସିଆର ବହୁଳ ପରିମାଣରେ ଦେଖାଯାଉଥିବା ଏହି ପକ୍ଷୀର ମାଂସ ଖାଇବାକୁ ଗ୍ରାହକଙ୍କ ଉତ୍କଣ୍ଠାକୁ ନେଇ ଯୋଗାଇ ଦିଆଯିବ । ସେହିପରି ଆଗାମୀ ଦିନରେ ଏହି ପକ୍ଷୀକୁ ବହୁଳ ପରିମାଣରେ ଚାଷ କରାଯାଇ ଯୋଗାଣ କରାଯିବ । ଏତଦ୍ଭିନ୍ନ କଡ଼କନାଥ, ଆସିଲ୍, ଭାଉଁଲି ଦେଶୀ କୁକୁଡ଼ା, ସୋନାଲି କୁକୁଡ଼ା, ବତକ ପ୍ରଭୃତି ମାଂସ ଯୋଗାଇ ଦିଆଯିବ । ସେହିପରି ଉପରୋକ୍ତ ଜାତିର ସମସ୍ତ ପକ୍ଷୀ ମାଂସ ହୋମ ଡେଲିଭରି ମଧ୍ୟ କରାଯିବ ବୋଲି ସଂସ୍ଥାର ସତ୍ତ୍ୱାଧିକାରୀ ଶ୍ରୀ ସାହୁ କହିଛନ୍ତି । ଶାଖା ଉଦ୍ଘାଟନ ସମୟରେ ବିଜେଡି ଅନୁସୂଚିତ ଜାତି ବ୍ଲକ ସଭାପତି ଶରତ ଦାସ, ସମାଜସେବୀ ରମେଶ ବାଗ୍ ପ୍ରମୁଖ ଉପସ୍ଥିତ ଥିଲେ ।
