ଆଇପିଏଲରୁ ଅବସର ନେଲେ ପୋଲାର୍ଡ, ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କୋଚ ଭାବେ ନିଯୁକ୍ତ
ମୁମ୍ବାଇ : ୱେଷ୍ଟଇଣ୍ଡିଜ୍ର ପୂର୍ବତନ ଭେଟେରାନ ଅଲରାଉଣ୍ଡର କିରେନ ପୋଲାର୍ଡ ଅନ୍ତର୍ଜାତୀୟ କ୍ରିକେଟ୍ ପରେ ଆଇପିଏଲରୁ ଅବସର ଘୋଷଣା କରିଛନ୍ତି । ଯଦିଓ ସେ ମୁମ୍ବାଇ ଇଣ୍ଡିଆନ୍ସରଏକ ଅଂଶ ରହିବେ, କାରଣ ଦଳର ମାଲିକମାନେ ତାଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଛନ୍ତି । ଏହି ଭେଟେରାନ ଖେଳାଳିଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କୋଚ୍ ଭାବରେ ନିଯୁକ୍ତ କରିଛି । ସେ ଏହି ଦାୟିତ୍ବକୁ ଆଇପିଏଲ-୨୦୨୩ ରୁ ପରିଚାଳନା କରିବେ । କେବଳ ଏତିକି ନୁହେଁ, ତାଙ୍କୁ ଏମଆଇ ଏମିରେଟ୍ସ ପାଇଁ ଖେଳୁଥିବା ମଧ୍ୟ ଦେଖିବାକୁ ମିଳିବ ।
ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ଗୋଷ୍ଠୀର ଏକ ପ୍ରମୁଖ ଅଂଶ ଥିବା କିରନ୍ ପୋଲାର୍ଡ ୧୩ ତମ ସିଜିନ୍ ପାଇଁ ଏମଆଇର ଏକ ଅଂଶ ଥିଲେ । ତାଙ୍କୁ ଆଉ ଆଇପିଏଲରେ ଖେଳୁଥିବାର ଦେଖିବାକୁ ମିଳିବ ନାହିଁ, କିନ୍ତୁ ଦଳ ଆନୁଷ୍ଠାନିକ ଭାବେ ଘୋଷଣା କରିଛି ଯେ ସେ ବ୍ୟାଟିଂ କୋଚ୍ ଭାବରେ ତାଙ୍କର ନୂଆ ଭୂମିକାରେ ଏମଆଇ ପରିବାର ସହିତ ରହିବେ । କିରନ୍ ପୋଲାର୍ଡ ୨୦୧୦ ରେ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଥିଲେ ଓ ଦଳ ପାଇଁ ୧୫୦ ଟି ମ୍ୟାଚ୍ ଖେଳିଥିବା ପ୍ରଥମ ଖେଳାଳି ହୋଇଥିଲେ ।
କିରନ୍ ପୋଲାର୍ଡ ମୁମ୍ବାଇ ଇଣ୍ଡିଆନ୍ସ ସହିତ ୫ ଟି ଆଇପିଏଲ୍ ଓ ୨ ଚାମ୍ପିଅନ୍ସ ଲିଗ୍ ଟ୍ରଫି ଜିତିଛନ୍ତି । ଉଭୟ ବ୍ୟାଟିଂ ପ୍ରଶିକ୍ଷକ ତଥା ଏମଆଇ ଏମିରେଟ୍ସର ଖେଳାଳି ଭାବରେ ମୁମ୍ବାଇ ଇଣ୍ଡିଆନ୍ସକୁ ମଜବୁତ କରିବା ପାଇଁ ପୋଲାର୍ଡ ଦଶନ୍ଧିର ଅଭିଜ୍ଞତା ଓ କୌଶଳ ବ୍ୟବହାର କରିବେ । ରୋହିତ ଶର୍ମା ସମ୍ପୂର୍ଣ୍ଣ ଫିଟ୍ ନଥିବା ସମୟରେ କିରନ୍ ପୋଲାର୍ଡ ମଧ୍ୟ କିଛି ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଅଧିନାୟକତ୍ୱ ଗ୍ରହଣ କରିଥିଲେ ।
କିରନ୍ ପୋଲାର୍ଡ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୧୮୯ ଟି ମ୍ୟାଚ୍ ଖେଳିଛନ୍ତି । ତାଙ୍କର ୧୭୧ ଇନିଂସରେ ସେ ମୋଟ ୩୪୧୨ ରନ୍ ସଂଗ୍ରହ କରିଥିବାବେଳେ, ୫୨ ଥର ଅପରାଜିତ ରହିଛନ୍ତି । ତାଙ୍କର ସର୍ବାଧିକ ସ୍କୋର ୮୭ ରନ୍ ଥିଲା । ସେ ହାରାହାରି ୨୮.୬୭ ରେ ୨୩୧୬ ରନ୍ ସ୍କୋର କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୪୭ ରୁ ଅଧିକ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟ ଇତିହାସରେ ପୋଲାର୍ଡ ୧୬ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଏଥି ସହିତ ସେ ଏହି ଟୁର୍ଣ୍ଣାମେଣ୍ଟରେ ୨୧୮ ଚୌକା ଓ ୨୨୩ ଟି ଛକା ମାରିଛନ୍ତି ।
