କାଁପଡ଼ାବିନ୍ଧା ଗ୍ରାମରୁ ୮ ଟି ହେଣ୍ଡ ବମ୍ ଜବତ କଲା ପୁଲିସ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ କାଁପଡ଼ାବିନ୍ଧା ଗ୍ରାମ ନିକଟସ୍ଥ ଏକ ଜଙ୍ଗଲିଆ ପୋଖରୀ ହୁଡ଼ାରୁ ୮ଟି ଅଫୁଟା ହେଣ୍ଡ ବମ୍ ପୁଲିସ୍ ଜବତ କରିଥିବା ଜଣାପଡ଼ିଛି । ଏହି ହେଣ୍ଡବମ୍କୁ ଭଦ୍ରକ ବୋମା ଡିଫିୟୁଜ ଟିମ୍ଙ୍କ ଦ୍ୱରା ନଷ୍ଟ କରାଯାଇଥିଲା । ପ୍ରକାଶ ଯେ, ଗୁରୁବାର ଦିନ କାଁପଡ଼ାବିନ୍ଧା ଗ୍ରାମର କେତେକ ମହିଳା ବିଲକୁ ଘାସ କାଟିବାକୁ ଯାଇଥିଲେ । ସେମାନେ ଘାସ କାଟୁଥିବା ବେଳେ ଏକ ଝୁଲାରେ ୮ଟି ହେଣ୍ଡ ବମ୍ ଜଙ୍ଗଲିଆ ପୋଖରୀ ହୁଡ଼ାରେ ରହିଥିବା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ । ଖବର ପାଇବା ପରେ ଗ୍ରାମବାସୀମାନେ ପୋଖରୀ ହୁଡ଼ା ନିକଟକୁ ଯାଇ ବମ୍ ଥିବା ଦେଖିଥିଲେ । ପରେ କାଁପଡ଼ା ବିନ୍ଧା ଗ୍ରାମର ସମାଜସେବୀ ଶଶିକାନ୍ତ ମଳିକ ଟେଲିଫୋନ ଯୋଗେ ପୁଲିସକୁ ବମ୍ ସମ୍ପର୍କରେ ସୂଚନା ଦେଇଥିଲେ । ବୋମା ସମ୍ପର୍କରେ ସୂଚନା ପାଇବା ପରେ ତିହିଡ଼ି ଥାନା ଅଧିକାରୀ ଏମ.ଡି. ହାଫିଜ୍, ଏଏସଆଇ କମଳାକାନ୍ତ ଶତପଥି, ଏସଏସଆଇ ପାର୍ଥସାରଥୀ ବେହେରା, ଏଏସଆଇ ପ୍ରଶାନ୍ତ ଦାସ, ଏଏସଆଇ ପ୍ରଣବ କୁମାର ଗିରି ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ôଚ ହେଣ୍ଡବମ୍କୁ ଜବତ କରି ବୋମା ଡିଫିୟୁଜ୍ ଟିମ୍କୁ ଜଣାଇଥିଲେ । ଭଦ୍ରକରୁ ଡିଫିୟୁଜ ଟିମ୍ ଆସି ବୋମା ଗୁଡ଼ିକୁ ନଷ୍ଟ କରି ଦେଇଥିଲେ । ତେବେ କେଉଁଠୁ ବୋମା ଆସିଲା ଓ କିଏ ସେଠାରେ ରଖିଲା ସେ ନେଇ ପୁଲିସ ଜୋରଦାର ତନାଘନା ଚଳାଇଛି ।
