ପୋଲିସର ଏନ୍କାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣି ଆହତ, ହସ୍ପିଟାଲରେ ଭର୍ତ୍ତି
ଭଦ୍ରକ : ଡକାୟତି ଯୋଜନା ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣିକୁ ପୋଲିସର ଏନ୍କାଉଣ୍ଟର । ଭ୍ରଦକ ଗ୍ରାମାଞ୍ଚଳ ଥାନା ଜଳଙ୍ଗା ନିକଟରେ ପୋଲିସ ଏନ୍କାଉଣ୍ଟର କରିଥିବା ନେଇ ସୂଚନା ମିଳିଛି । ବାପିର ଉଭୟ ଗୋଡରେ୨ଟି ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ବାପି ପାଣିକୁ ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ବାପି ସହ ଗୁଳିବିନିମୟ ବେଳେ ୩ ଜଣ ପୋଲିସ କର୍ମୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ବାପି ଡକାୟତି ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପୋଲିସ ସଦଳବଳେ ବାପିକୁ ଗିରଫ କରିବା ପାଇଁ ଘଟଣାସ୍ଥଳକୁ ପହଞ୍ଚି ଥିଲା। କିନ୍ତୁ ଏହି ସମୟରେ ପୋଲିସ ଦେଖି ସେ ବ୍ୟସ୍ତ ହୋଇପଡ଼ିଥିଲା। ସେ ପୋଲିସ ଉପରକୁ ଗୁଳି ଚଳାଇ ଫେରାର ପାଇଁ ଉଦ୍ୟମ କରୁଥିଲା। କିନ୍ତୁ ଏହି ସମୟରେ ପୋଲିସ ଏନ୍କାଉଣ୍ଟରରେ ଅପରାଧୀ ବାପିର ଗୋଡରେ ୨ଟି ଗୁଳି ବାଜିଥିଲା। ବାପିକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାପିର ଅନ୍ୟ ଜଣେ ସହଯୋଗୀକୁ ପୋଲିସ କବ୍ଜା କରିବା ସହ ଥାନାରେ ଅଟକ ରଖିଛି। ଘଟଣାସ୍ଥଳରୁ ପୋଲିସ ମାରଣାସ୍ତ୍ର ଜବତ କରିଥିବା ଜଣାଯାଇଛି। ପୂର୍ବରୁ ମଧ୍ୟ ଦୁର୍ଦ୍ଦାନ୍ତ ଅପରାଧୀ ବାପିକୁ ଏନ୍କାଉଣ୍ଟର କରିଥିଲା ପୋଲିସ ।
