କବିତା ସଂକଳନ ‘କାବ୍ୟ ସମ୍ଭାର’ ଉନ୍ମୋଚିତ
ବାଲେଶ୍ୱର : ବାଲେଶ୍ୱର ସହର ସ୍ଥିତ ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘ ସଭାକକ୍ଷରେ ଅବସରପ୍ରାପ୍ତ ଜିଲା ସ୍ୱାସ୍ଥ୍ୟ ଶିକ୍ଷା ସଞ୍ଚାର ଅଧିକାରୀ କବି ପ୍ରଫୁଲ୍ଲ କୁମାର ଜେନାଙ୍କ ତୃତୀୟ କବିତା ସଂକଳନ ‘କାବ୍ୟ ସମ୍ଭାର’ ଉନ୍ମୋଚିତ ହୋଇଯାଇଛି ।
ଉନ୍ମୋଚନ ସଭାରେ ବିଶ୍ୱ ମାନବ ଧର୍ମ ସୁରକ୍ଷା ପରିବାରର ପ୍ରଧାନ ସେବକ କବି ଶିଶିର କୁମାର ରଥ ପୌରୋହିତ୍ୟ କରିଥିଲେ । ଅବସରପ୍ରାପ୍ତ ରାଜ୍ୟ ସରକରୀ କର୍ମଚାରୀ ସଂଘର ପୂର୍ବତନ ସଭାପତି ଧୀରେନ୍ଦ୍ର ନାରାୟଣ ଦାସ ଯୋଗଦେଇ ଉଦ୍ଘାଟନ କରିଥିଲେ । ମୁଖ୍ୟଅତିଥି ପ୍ରାଧ୍ୟାପକ ଡ. ଶିରୀଶ ଚନ୍ଦ୍ର ଜେନା, ମୁଖ୍ୟବକ୍ତା ବିଶିଷ୍ଟ ପ୍ରାବନ୍ଧିକ ଓ ଗବେଷକ ଡ. ମନ୍ମଥ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ରାଜ୍ୟ ସରକାରୀ କର୍ମଚାରୀ ସଂଘର ସଭାପତି ବନମାଳୀ ନାୟକ, ଲେଖକ ଡ. ଅଶ୍ୱିନୀ କୁମାର ଶତପଥୀ, ପ୍ରାବନ୍ଧିକ ତଥା ଗବେଷକ ଡ. ଭାଗବତ ପ୍ରସାଦ ଦାସ, ଲେଖକ ଇଂ. ସୁରେନ୍ଦ୍ର ନାଥ ଦାସ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଡ. ସଞ୍ଜୀବ କୁମାର ପ୍ରଧାନ ଯୋଗଦେଇ ପୁସ୍ତକ ଓ ଏହାର ସ୍ରଷ୍ଟାଙ୍କ ସମ୍ବନ୍ଧରେ ସବିଶେଷ ବକ୍ତବ୍ୟ ରଖିଥିଲେ । ସୁ-ସାହିତ୍ୟିକ ତଥା ସମାଲୋଚକ ଡ. ରାଧାରଞ୍ଜନ ପଟ୍ଟନାୟକ ସମୀକ୍ଷକ ଭାବେ ଯୋଗଦେଇ ପୁସ୍ତକରେ ସ୍ଥାନିତ ପ୍ରତିଟି କବିତାର ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ କବି ଶ୍ରୀ ଜେନାଙ୍କର ଭୂୟସୀ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ କବି ପଦ୍ମଲୋଚନ ପ୍ରଧାନ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିଥିଲେ । ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ସମ୍ପାଦକ ବସନ୍ତ କୁମାର ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ । ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ଯୁଗ୍ମସମ୍ପାଦକ ସୁଦର୍ଶନ ଦାସ, ଭବେଶ ଚନ୍ଦ୍ର ପଣ୍ଡା, ଶେଖ୍ ଆଲ୍ଲାଉଦ୍ଦୀନ, ଉମେଶ ଗୋଚ୍ଛାୟତ, ଭାଗବତ ପାଣିଗ୍ରାହୀ, ବୀରେନ୍ଦ୍ର ପ୍ରହରାଜ, ଜୋତ୍ସ୍ନା ରାୟ, ମିନତି ସେଠୀ, ବେଣୁଧର ପାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
