‘ରୋଜଗାରର ମେଳା’ ଲଞ୍ଚ ପ୍ରଧାନମନ୍ତ୍ରୀ, ୭୫ହଜାର ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ପ୍ରଦାନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୋଜଗାର ମେଳା ଲଞ୍ଚ କରିବା ସହ ଭର୍ଚ୍ଚୁଆଲି ୭୫ହଜାର ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ହୋଇଥିବା କାର୍ଯ୍ୟକ୍ରମରେ ମୋଦୀ କହିଛନ୍ତି ଯେ, ଭାରତର ଯୁବବର୍ଗଙ୍କ ପାଇଁ ଆଜି ଏକ ମହତ୍ତ୍ୱପୂର୍ଣ୍ଣ ଦିନ । ଗତ ୮ ବର୍ଷ ହେବ ଦେଶରେ ରୋଜଗାର ଓ ବେରୋଜଗାରକୁ ନେଇ ଯେଉଁ ଅଭିଯାନ ଚାଲିଛି ଆଜି ସେଥିରେ ଆଉ ଏକ ଦିଗ ଯୋଡ଼ି ହୋଇଯାଇଛି । ସ୍ୱାଧୀନତାର ଅମୃତ କାଳରେ ବିକଶିତ ଭାରତର ନିର୍ମାଣରେ ଯୁବବର୍ଗ ସାରଥୀ ପାଲଟିବେ । ଆଜି ସରକାର ୭୫ ହଜାର ଯୁବବର୍ଗଙ୍କୁ ଚାକିରି ପ୍ରଦାନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ବିକଶିତ ଭାରତର ସଙ୍କଳ୍ପକୁ ପୂରଣ କରିବା ପାଇଁ ଆମେ ଆତ୍ମନିର୍ଭର ଭାରତ ରାସ୍ତାରେ ଚାଲୁଛୁ । ଏଥିରେ ଆମ କୃଷକ, ଉଦ୍ୟୋଗୀ, ବ୍ୟବସାୟୀ ଓ ଅନ୍ୟ ସାଥୀଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ମେକ ଇନ ଇଣ୍ଡିଆ ଏକବିଂଶ ଶତାଦ୍ଦୀର ସବୁଠୁ ମହତ୍ତ୍ୱପୂର୍ଣ୍ଣ ମିଶନ । ଷ୍ଟାର୍ଟଅପ ଇଣ୍ଡିଆ ଅଭିଯାନରେ ଦେଶର ଯୁବବର୍ଗଙ୍କ ସାମର୍ଥ୍ୟକୁ ସମଗ୍ର ବିଶ୍ୱ ସ୍ଥାପିତ କରିଦେଇଛି ।୨୦୧୪ରେ ଯେଉଁଠି ଅଳ୍ପ କିଛି ଷ୍ଟାର୍ଟଅପ ଥିଲା ଆଜି ଏହି ସଂଖ୍ୟା ୮୦ ହଜାରରୁ ଅଧିକ ରହିଛି ।
