ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବିଜେଡି-ବିଜେପି ମେଣ୍ଟ ନେଇ ଅଟକିଛି ନଜର!
ଭୁବନେଶ୍ୱର : ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପରିପ୍ରେକ୍ଷୀରେ ଅଟକିଛି ନଜର। ଦୁଇ ଦଳର ନା । ହେଲେ ଥମୁନି ଚର୍ଚ୍ଚା । ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ନେଇ ଏବେ ବି ଭିନ୍ନ ଭିନ୍ନ ଆକଳନ। ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଆସିବା ପରେ ରାଜନୀତିରେ ଭ୍ରକୁଞ୍ଚନ । ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ମେଣ୍ଟକୁ ନେଇ ଦ୍ବନ୍ଦ୍ବରେ ଦୁଇ ଦଳର ନେତା ।
୨୪ରେ ମିଳିତ ଭାବେ ଲଢ଼ିବେ କି ବିଜେଡି- ବିଜେପି ? ବିଗତ କିଛି ଦିନ ହେବ ଏଭଳି ଚର୍ଚ୍ଚା ରାଜ୍ୟ ରାଜନୀତିକୁ ଉଷ୍ମ କରିଛି। ଦୁଇ ଦଳର ନେତା ଏଭଳି ଚର୍ଚ୍ଚାକୁ ସିଧା ସିଧା ମନା କରୁଥିଲେ ବି ବିଭିନ୍ନ ରାଜନୀତିକ କାର୍ଯ୍ୟକଳାପ ଏହି ଚର୍ଚ୍ଚାକୁ ଆଗକୁ ବଢ଼ାଉଛି। ସେପଟେ ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ୧୬ ରାଜ୍ୟର ୧୯୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲେ ବି ତାଲିକାରେ ଓଡ଼ିଶାରୁ କେହି ନାହାନ୍ତି। ଓଡ଼ିଶାର କିଛି ଲୋକସଭା ଆସନକୁ ନେଇ ବିଜେପି କନ୍ଫିଡେନ୍ସ ଥିବା ବେଳେ କାହାରି ନାମ ଘୋଷଣା ନ ହେବା ରାଜନୀତିକ ସମୀକ୍ଷକଙ୍କୁ ବି ଚକିତ କରିଛି। ସାମ୍ପ୍ରତିକ ରାଜନୈତିକ ସ୍ଥିତି, ବିଜେଡି-ବିଜେପି ସମ୍ପର୍କ, ନେତାଙ୍କ ବୟାନ, ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ବଡ ରାଜନୀତିକ ସମୀକରଣର ସଙ୍କେତ ଦେଉଛି ।
କିଛି ଦିନ ଧରି ଚୁପ ଥିବା ଦୁଇ ଦଳର ନେତା ଏବେ ମୁଁହ ଖୋଲି ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ଆଗାମୀ ନିର୍ବାଚନରେ ଏକାକୀ ଲଢ଼ିବାକୁ ବିଜେଡି ଦମ ଦେଖାଇବା ସହ ଷଷ୍ଠ ଥର ସରକାର କରିବାକୁ ଦୃଢୋକ୍ତି କରିଛି । ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ବି ସୁପ୍ରିମୋଙ୍କ ନିଷ୍ପତି ସର୍ବମାନ୍ୟ ବୋଲି କହିଛି ବିଜେଡି । ବିଜେପି ବି ପୁନର୍ବାର ଏହି ଚର୍ଚ୍ଚାକୁ ଖଣ୍ଡନ କରି ସବୁ ବିଧାନସଭା ଓ ଲୋକସଭା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା କହିଛି । ଓଡ଼ିଶାରେ ପ୍ରଥମ ଦଫା ଟିକେଟ ଘୋଷଣା ନହେବା ନେଇ ଭିତିରି ବୁଝାମଣା ସନ୍ଦେହ କରିଛି କଂଗ୍ରେସ । ପାଖେଇ ଆସୁଛି ନିର୍ବାଚନ । ହେଲେ ମେଣ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଦ୍ବନ୍ଦ୍ବରେ ଦୁଇ ଦଳର ନେତା ।
