ନାଗପୁର ମେଟ୍ରୋ ରେଳ ପ୍ରକଳ୍ପର ‘ଫେଜ୍ ୧’ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ମହାରାଷ୍ଟ୍ରର ନାଗପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନାଗପୁର ମେଟ୍ରୋ ରେଳ ପ୍ରକଳ୍ପର ‘ଫେଜ୍ ୧’ ଉଦ୍ଘାଟନ କରିବା ସହିତ ମେଟ୍ରୋରେ ବସି ଫ୍ରିଡମ୍ ପାର୍କରୁ ଖପ୍ରି ଯିବା ଲାଗି ଟିକେଟ କିଣିଥିଲେ। ଫ୍ରିଡମ୍ ପାର୍କରୁ ଖପ୍ରି ଯାତ୍ରା ବେଳେ ପ୍ରଧାନମନ୍ତ୍ରୀ ମେଟ୍ରୋରେ ଯାତ୍ରା କରୁଥିବା ଛାତ୍ରଛାତ୍ରୀ ଓ ଯାତ୍ରୀମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ଏହାଛଡ଼ା, ୬୭୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ କରାଯିବାକୁ ଥିବା ଉକ୍ତ ରେଳ ପ୍ରକଳ୍ପର ‘ଫେଜ୍ ୨’ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି।
ସେହିପରି ପ୍ରଧାନମନ୍ତ୍ରୀ ଆଜି ନାଗପୁର-ମୁମ୍ବାଇ ‘ସମୃଦ୍ଧି ଏକ୍ସପ୍ରେସ୍ୱେ’ର ପ୍ରଥମ ଫେଜ୍ ଓ ‘ହିନ୍ଦୁ ହୃଦୟସମ୍ରାଟ ବାଲାସାହେବ ଠାକ୍ରେ ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗ ମଧ୍ୟ ଉଦ୍ଘାଟନ କରିଛନ୍ତି। ୫୨୦ କିଲୋମିଟର ଦୀର୍ଘ ଏହି ମହାମାର୍ଗ ନାଗପୁର ଓ ଶିରିଡ଼ିକୁ ସଂଯୋଗ କରୁଛି। ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ନାଗପୁର ଓ ଛତିଶଗଡ଼ର ବିଳାସପୁର ମଧ୍ୟରେ ଚଳାଚଳ କରିବାକୁ ଥିବା ୬ଷ୍ଠ ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କରିଥିଲେ। ପତାକା ହଲାଇ ଟ୍ରେନ୍ ଚଳାଚଳ ଆରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ ରେଳରେ ଯାଉଥିବା ଯାତ୍ରୀମାନଙ୍କ ଆଡ଼କୁ ହାତ ହଲାଇଥିଲେ।
ଏଥିସହିତ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଗୋଆର ମୋପାରେ ଦ୍ବିତୀୟ ଆନ୍ତର୍ଜାତିକ ବିମାନ ବନ୍ଦର ଉଦ୍ଘାଟନ କରିବେ। ଗୋଆର ପ୍ରଥମ ଆନ୍ତର୍ଜାତିକ ବିମାନ ବନ୍ଦରଟି ଡାବୋଲିମ୍ରେ ଅବସ୍ଥିତ। ଏ ନେଇ ଗତ ଶନିବାର ସନ୍ଧ୍ୟାରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଥିଲେ: ଗୋଆରେ ମୁଁ ୯ମ ବିଶ୍ବ ଆୟୁର୍ବେଦ ମହାସଭାରେ ଉଦ୍ବୋଧନ ଦେବି। ଗୋଆରେ ମୋପା ଆନ୍ତର୍ଜାତିକ ବିମାନ ବନ୍ଦର ମଧ୍ୟ ଉଦ୍ଘାଟନ କରିବି। ଏହି ବିମାନ ବନ୍ଦର ଆଞ୍ଚଳିକ ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ସହ ପର୍ଯ୍ୟଟନ ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିବ।
