‘ଅଲ୍ ଇଣ୍ଡିଆ ଡିଷ୍ଟ୍ରିକ୍ଟ୍ ଲିଗାଲ୍ ସର୍ଭିସେସ୍ ଅଥରିଟିଜ୍ ମିଟ୍’ରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ ; ବିଚାରାଧୀନ କଏଦୀମାନଙ୍କ ମୁକ୍ତି ପାଇଁ ନ୍ୟାୟପାଳିକା ତତ୍ପର ହେଉ
ନୂଆଦିଲ୍ଲୀ: ନୂଆଦିଲ୍ଲୀ ବିଜ୍ଞାନ ଭବନରେ ‘ଅଲ୍ ଇଣ୍ଡିଆ ଡିଷ୍ଟ୍ରିକ୍ଟ୍ ଲିଗାଲ୍ ସର୍ଭିସେସ୍ ଅଥରିଟିଜ୍ ମିଟ୍’ ଶନିବାର ଓ ରବିବାର ଦୁଇଦିନ ଧରି ଆୟୋଜିତ ହେବ । ଏହାର ପ୍ରଥମ ଦିନରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ବୋଧନ ଦେଇ କହିଛନ୍ତି ଯେ, ଇନଗତ ସହାୟତା ପାଇଁ ବିଭିନ୍ନ ଜେଲ୍ରେ ପ୍ରତୀକ୍ଷା କରିଥିବା ବିଚାରାଧୀନ କଏଦୀମାନଙ୍କ ମୁକ୍ତି ପାଇଁ ନ୍ୟାୟପାଳିକା ତତ୍ପର ହେଉ । ଅନାୟାସ ବିଚାର ମିଳିବା ମଧ୍ୟ ଅନାୟାସରେ ବ୍ୟବସାୟ କରିବା ଏବଂ ଅନାୟାସରେ ବଞ୍ଚିବା ଭଳି ଗୁରୁତ୍ବପୂର୍ଣ୍ଣ । ଆଇନଗତ ସହାୟତା ପାଇଁ କାରାଗାରରେ ଅନେକ ବିଚାରାଧୀନ କଏଦୀ ଅଛନ୍ତି। ବିଚାରାଧୀନ କଏଦୀମାନଙ୍କୁ ନ୍ୟାୟିକ ସହାୟତା ଯୋଗାଇ ଦେବା ଦାୟିତ୍ବ ଆମ ‘ଡିଷ୍ଟ୍ରିକ୍ଟ୍ ଲିଗାଲ୍ ସର୍ଭିସେସ୍ ଅଥରିଟି’ମାନେ ଗ୍ରହଣ କରିପାରିବେ। ଆପଣା କାର୍ଯ୍ୟାଳୟକୁ ‘ଜିଲାସ୍ତରୀୟ ବିଚାରାଧୀନ କଏଦୀ ସମୀକ୍ଷା କମିଟି’ର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଭାବେ ବ୍ୟବହାର କରି ବିଚାରାଧୀନ କଏଦୀମାନଙ୍କ ମୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରାଇବା ପାଇଁ ସମ୍ମିଳନୀରେ ଯୋଗଦେଇଥିବା ଜିଲା ଜଜ୍ମାନଙ୍କୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି।
ଭାରତର ନ୍ୟାୟିକ ଭିତ୍ତିଭୂମି ତ୍ବରାନ୍ବିତ କରାଯିବା ବିଷୟରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସମାଜର ଯେକୌଣସି ବର୍ଗଙ୍କ ପାଇଁ ବିଚାର ବିଭାଗର ଉନ୍ମୁକ୍ତତା ଯେତିକି ଗୁରୁତ୍ବପୂର୍ଣ୍ଣ, ବିଚାର ପାଇବା ମଧ୍ୟ ସେତିକି ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ନ୍ୟାୟିକ ଭିତ୍ତିଭୂମିର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ। ଭାରତରେ ନ୍ୟାୟିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ଗତ ୮ ବର୍ଷ ହେବ ଦ୍ରୁତ ବେଗରେ କାର୍ଯ୍ୟ ଚାଲିଛି। ଇ-କୋର୍ଟସ୍ ମିସନ୍ ଜରିଆରେ ଭାରତରେ ଭର୍ଚ୍ୟୁଆଲ୍ ଅଦାଲତ ଆରମ୍ଭ ହୋଇଛି। ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବା ଭଳି ଅପରାଧ ପାଇଁ ୨୪ଘଣ୍ଟିଆ ଅଦାଲତ ଆରମ୍ଭ ହୋଇଛି। ଅଦାଲତରେ ଭିଡିଓ କନ୍ଫରେନ୍ସିଙ୍ଗ୍ ଭିତ୍ତିଭୂମି ମଧ୍ୟ ସମ୍ପ୍ରସାରିତ ହେଉଛି।
