ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ମୃତ
ଶ୍ରୀନଗର : ଜମ୍ମୁକାଶ୍ମୀର ବାରାମୂଳା ଜିଲା ବାନିଗାମବାଲା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ରାଜ୍ୟ ପୋଲିସ, ସିଆରପିଏଫ ଓ ଭାରତୀୟ ସେନାର ମିଳିତ ଅପରେସନ ପରେ ସୁରକ୍ଷାକର୍ମୀଙ୍କୁ ମିଳିଲା ସଫଳତା । ଆହୁରି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ଫଳରେ ଏବେବି ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛି ସୁରକ୍ଷାବଳ ।
ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇ ସୁରକ୍ଷାକର୍ମୀ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଲୁଚିଥିବା ଆତଙ୍କୀ ପ୍ରଥମେ ଆକ୍ରମଣ କରିଥିଲେ । ପାଲଟା ଜବାବରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏହା ପୂର୍ବରୁ ଗତ ୨୭ ତାରିଖ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ୟାରିପୁରାରେ ଆତଙ୍କୀଙ୍କୁ ଘେରି ଯାଇଥିଲେ । କାଠପୁରା ଅଞ୍ଚଳରେ ୨/୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇଥିଲେ ସୁରକ୍ଷାକର୍ମୀ । ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାବଳ ଉପରକୁ ପ୍ରଥମେ ଗୁଳିମାଡ କରିଥିଲେ ଆତଙ୍କୀ । ଏହି ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଥିଲେ । କିନ୍ତୁ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲେ ଆତଙ୍କୀ । ସେହିପରି ଗତ ୬ ତାରିଖରେ କୁଲଗାମ ଜିଲ୍ଲା ହାଦୀଗାମ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହ ଆତଙ୍କବାଦୀଙ୍କ ସଂଘର୍ଷ ଘଟିଥିଲା । ଯାହା ପରେ ଦୁଇ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ।
