ସରଯୁ କେନାଲ ଜାତୀୟ ପ୍ରକଳ୍ପ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ବଳରାମପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସରଯୁ କେନାଲ ଜାତୀୟ ପ୍ରକଳ୍ପ ଶନିବାର ଉଦଘାଟିତ ହୋଇଯାଇଛି । ୯୮୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ବିନିଯୋଗରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପରେ ଘାଘରା, ସରଯୁ, ରାପ୍ତି, ବାଣଗଙ୍ଗା ଏବଂ ରୋହିଣି ଆଦି ପାଂଚଟି ନଦୀକୁ ସଂଯୁକ୍ତ କରାଯାଇଛି । ଏହା ଉତର ପ୍ରଦେଶର ପୂର୍ବାଂଚଳରେ ୧୪ ଲକ୍ଷ ହେକ୍ଟର ଜମିକୁ ନିଶ୍ଚିତ ଜଳସେଚନ ସୁବିଧା ଯୋଗାଇଦେବ । ଏହାଦ୍ୱାରା ୬୨୦୦ଟି ଗ୍ରାମର ପ୍ରାୟ ୨୯ ଲକ୍ଷରୁ ଅଧିକ କୃଷକ ଉପକୃତ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ପ୍ରକଳ୍ପ ଉଦଘାଟନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରକଳ୍ପର ମଡେଲକୁ ନିରୀକ୍ଷଣ କରିଥିଲେ । ଏହି ଅବସରରେ ଆୟୋଜିତ ଏକ ବିଶାଳ ଜନସମାବେଶରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଚଳିତ ମାସ ୮ ତାରିଖରେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ପରଲୋକ ଗମନ କରିଥିବା ସିଡିଏସ ବିପିନ ରାୱତ ଏବଂ ଅନ୍ୟମାନଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କ ଭଳି ଜଣେ ସଚ୍ଚା ଦେଶପ୍ରେମୀ ଓ ବୀରଙ୍କୁ ହରାଇ ଦେଶ ଗଭୀର ମର୍ମାହତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏଭଳି ଗଭୀର ଦୁଃଖଦ ସମୟରେ ମଧ୍ୟ ଆମେ ନଅଟକି ଆମର ବିକାଶ ଧାରା ଆଗକୁ ବଢାଇବାକୁ ପଡିବ । ସମସ୍ତ ଦେଶବାସୀ ସମ୍ମିଳିତ ପ୍ରୟାସ କରି ପ୍ରତ୍ୟେକ ପରିସ୍ଥିତିର ମୁକାବିଲା କରି ଦେଶକୁ ପ୍ରଗତି ପଥରେ ଆଗେଇନେବେ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରଯୁ କେନାଲ ପ୍ରକଳ୍ପ କାର୍ଯ୍ୟ ୧୯୭୮ରେ ଆରମ୍ଭ ହୋଇଥିଲା । କିନ୍ତୁ ତାହା ଶେଷ ହୋଇପାରୁ ନଥିଲା । ଫଳରେ ଏହାର ଖର୍ଚ୍ଚ ବଢିଚାଲିଲା ଏବଂ ତାହାସହିତ ଜନସାଧାରଣଙ୍କ ଦୁଃଖ ଦୁର୍ଦ୍ଦଶା ମଧ୍ୟ ବଢିଚାଲିଥିଲା । ୪୦ ବର୍ଷ ଧରି ଗୋଟିଏ ପ୍ରକଳ୍ପ ଶେଷ ହୋଇପାରିନଥିବାବେଳେ ତାହା ମାତ୍ର ଚାରିବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହୋଇପାରିଛି । ଏହା ବର୍ତମାନର ଯୋଗୀ ଆଦିତ୍ୟନାଥ ସରକାରଙ୍କ ଆନ୍ତରିକତା କାରଣରୁ ହୋଇପାରିଛି । ତେବେ କିଛି ଲୋକ ଖାଲିଟାରେ ସାବାସି ନେବାକୁ ଉଦ୍ୟମ କରୁଛନ୍ତି ବୋଲି ଅଖିଳେଶଙ୍କୁ ଲକ୍ଷ୍ୟକରି ପ୍ରଧାନମନ୍ତ୍ରୀ କହିଥିଲେ । କେନ୍ଦ୍ର ସରକାର କୃଷକମାନଙ୍କ କଲ୍ୟାଣ ଓ ସର୍ବାଙ୍ଗୀନ ନିମନ୍ତେ ନିରନ୍ତର ପ୍ରୟାସ କରୁଛନ୍ତି ବୋଲି ସେ ପ୍ରକାଶ କରିଥିଲେ । କୃଷକଙ୍କ ଉଦ୍ୟମରେ ଭାରତ ଦୁଗ୍ଧ ଉତ୍ପାଦନରେ ଆଗରେ ରହିଥିବା ଏବଂ ମହୁ ରପ୍ତାନି କ୍ଷେତ୍ରରେ ମଧ୍ୟ ନିଜର ସ୍ଥାନ ସୁଦୃଢ କରିପାରିଥିବା ସେ କହିଥିଲେ । ଏହି ଅବସରରେ କୃଷକମାନେ ଚଳିତ ମାସ ୧୬ ତାରିଖରେ ଆୟୋଜିତ ହେବାକୁ ଯାଉଥିବା ପ୍ରାକୃତିକ କୃଷି କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ କୃଷକଙ୍କୁ ଆମନ୍ତ୍ରଣ କରିଥିଲେ । ସେ କହିଥିଲେ ଯେ ମହାରାଷ୍ଟ୍ରର ପଦ୍ମ ପୁରସ୍କାରପ୍ରାପ୍ତ ସୁବାସ ଏହି ପ୍ରାକୃତିକ କୃଷି ପଦ୍ଧତି ଆବିଷ୍କାର କରିଛନ୍ତି । ଯେଉଁଥିରେ ଶୂନ୍ୟ ବଜେଟରେ ପ୍ରାକୃତିକ ପଦ୍ଧତିରେ କୃଷି କାର୍ଯ୍ୟ କରାଯାଇ ପୂର୍ବାପେକ୍ଷା ଅଧିକ ଅମଳ କରାଯାଇପାରିବ । ତାହାସହିତ ମୃତିକାର ଗୁଣବତା ଓ ଉର୍ବରତା ତଥା ଜଳ ସଂଚୟ କରାଯାଇପାରିବ ।
ସେହିପରି ସାରା ଭାରତ ଏବେ ଦୁଃଖରେ, ତେବେ ଯନ୍ତ୍ରଣା ସତ୍ୱେ ନା ଆମେ ଗତିକୁ ରୋକିପାରିବା ନା ଆମ ପ୍ରଗତିକୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତ ଅଟକିବନି କି ଥମିବନି ଆମେ ଭାରତୀୟ ମିଶି ଆହୁରି ମେହନତ କରିବା ଓ ଦେଶ ଭିତରେ ଏବଂ ଦେଶ ବାହାରେ ବସିଥିବା ସବୁ ଆହ୍ୱାନର ଆମେ ମୁକାବିଲା କରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ବଳରାମ ପୁରରେ ସରଜୁ ନହର ପ୍ରକଳ୍ପନର ଲୋକାର୍ପଣ ଉତ୍ସବରେ ପ୍ରଧାନମନ୍ତ୍ରୀ ୮ ଡିସେମ୍ବର ହେଲିକପ୍ଟର ଦୁର୍ଘଟଣା ପ୍ରତ୍ୟେକ ମୃତକଙ୍କ ଲାଗି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଜୀବିତ ଗ୍ରୁପ କ୍ୟାପ୍େଟନ ବରୁଣ ସିଂହଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଚିଫ ଅଫ ଡିଫେନ୍ସ ଷ୍ଟାଫଙ୍କ ଏପରି ପ୍ରସ୍ଥାନ ପ୍ରତ୍ୟେକ ଭାରତୀୟକୁ ବ୍ୟଥିତ କରିଛି । ସେ ଜଣେ ବୀର ଥିଲେ ଦେଶର ସେନାକୁ ଆତ୍ମନିର୍ଭର କରିବା ଲାଗି ସେ କେତେ ଉଦ୍ୟମ କରୁଥିଲେ ସାରା ଦେଶ ଏହାର ସାକ୍ଷୀ ।


