ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ
ଭୁବନେଶ୍ୱର : ପ୍ରକାଶ ପାଇଲା ଯୁକ୍ତ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଶନିବାର ଅପରାହ୍ନ ୧ଟାରେ ବିଧିବଦ୍ଧ ଭାବେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ରେଜଲ୍ଟ ଘୋଷଣା କରିଛନ୍ତି । ଏହାସହ orissaresults.nic.in ୱେବସାଇଟ୍ରେ ମଧ୍ୟ ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ଓ୍ୱେବସାଇଟରେ ନିଜର ରୋଲ ନମ୍ବର ଦେଇ ରେଜଲ୍ଟ ଜାଣିପାରିବେ । କଳାରେ ମୋଟ୍ ପାସ୍ ହାର ରହିଛି ୯୮.୫୮% । ଯୁକ୍ତ୨ର ୩ଲକ୍ଷ ୪୫ହଜାର ୬୭୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବିଜ୍ଞାନ ଓ ବାଣିଜ୍ୟର ୧ଲକ୍ଷ ୨୩ ହଜାର ୫୦୮ ଜଣ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇ ସାରିଛି । କଳା ଓ ଧନ୍ଦାମୂଳକ ଶିକ୍ଷାର ୨ଲକ୍ଷ ୨୧ହଜାର ୮୬୭ ଜଣ ଛାତ୍ରଛାତ୍ରୀଙ୍କ ଫଳ ଶନିବାର ପ୍ରକାଶ ପାଇଛି ।
ସୂଚନା ଯେ, ମହାମାରୀ କରୋନା ପାଇଁ ଚଳିତବର୍ଷ ଯୁକ୍ତ୨ ପରୀକ୍ଷା ବାତିଲ ହୋଇଥିଲା ବେଳେ ବିକଳ୍ପ ମୂଲ୍ୟାୟନ କରାଯାଇଛି । ଗତ ଜୁଲାଇ ୩୧ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବାହାରିଥିଲା । ସେହି ସମୟରେ ଆଉ ୧୫ ଦିନ ମଧ୍ୟରେ କଳା ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଥିଲା । ଏ ନେଇ ସିଏଚ୍ଏସ୍ଇ ମଧ୍ୟ ସୁପ୍ରିମ୍କୋର୍ଟରେ ସମୟ ଯାଚିକା ପୂର୍ବରୁ ଦାଖଲ କରିଥିଲା।
