ପିପିଲିରେ ବିଜେଡିର ବାଜିମାତ୍
- ୨୦ ହଜାରରୁ ଅଧିକ ଭୋଟରେ ଜିତିଲେ ରୁଦ୍ର ମହାରଥୀ
ଭୁବନେଶ୍ୱର : ପିପିଲିରେ ପୁଣି ବାଜିଲା ଶଙ୍ଖ । ପିପିଲି ଉପନିର୍ବାଚନରେ ବିଜେଡି ବିପୁଳ ଭୋଟ୍ ରେ ବିଜୟୀ ହୋଇଛି । ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ୨୦ ହଜାରରୁ ଅଧିକ ଭୋଟ୍ ରେ ବିଜୟୀ ହୋଇଛନ୍ତି । ରୁଦ୍ର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦,୯୧୬ ଭୋଟ୍ ରେ ପରାଜିତ କରିଛନ୍ତି । ରୁଦ୍ର ପ୍ରତାପ ମହାରଥୀଙ୍କୁ ୯୬,୯୭୨ ଖଣ୍ଡ ଭୋଟ ମିଳିଛି । ବିଜେପି ର ଆଶ୍ରିତ ପଟ୍ଟନାୟକଙ୍କୁ ୭୬,୦୫୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ ୩ୟ ସ୍ଥାନରେ କଂଗ୍ରେସର ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ୪,୨୬୧ ଭୋଟ୍ ମିଳିଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଏହି ସୂଚନା ଦେଇଛନ୍ତି । ତେବେ ରିଟର୍ଣ୍ଣିଂ ଅଫିସର ବିଧିବଦ୍ଧ ଘୋଷଣା କରିବେ ।
ରୁଦ୍ରଙ୍କ ବିଜୟ ପରେ ବିଜେଡି ଶିବିରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ରେକର୍ଡ ଭୋଟ୍ ବ୍ୟବଧାନରେ ଜିତିଥିବାରୁ ବିଜେଡିର ଖୁସି ଦ୍ୱିଗୁଣିତ ହୋଇଛି । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱର୍ଗତ ପ୍ରଦୀପ ମହାରଥୀ ୮୮,୫୧୮ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୭୮,୭୩୧ ଭୋଟ୍ ପାଇଥିଲେ । ସେତେବେଳେ ବିଜେଡି-ବିଜେପି ଭୋଟ୍ ବ୍ୟବଧାନ ୯,୭୮୭ ରହିଥିବା ବେଳେ ଉପନିର୍ବାଚନରେ ୨୦ ହଜାରରୁ ଅଧିକ ଭୋଟ୍ ରେ ବିଜେଡି ବିଜୟୀ ହୋଇଛି । ସବୁଠାରୁ ବଡ କଥା ହେଉଛି ବିଜେଡି ଗଡ ଭାବେ ଜଣା ପିପିଲି ମାଟିରେ ବିଜେଡି ତାର ବିଜୟ ଧାରା ଜାରି ରଖିଛି । ଗତ ୨୦୦୦ ମସିହା ଠାରୁ ବିଜେଡି ପିପିଲିରେ ଜିତି ଆସୁଛି । ଗୁରୁବାର ଦିନ ଭୋଟ୍ ଗ୍ରହଣ ପରେ ରବିବାର ସକାଳ ୮ଟାରୁ ପୁରୀର ପେଣ୍ଠକଟାସ୍ଥିତ ୱେୟାର ହାଉସ୍ ଠାରେ ଭୋଟ୍ ଗଣତି ଆରମ୍ଭ ହୋଇଥିଲା । ମୋଟ୍ ୨୬ଟି ରାଉଣ୍ଡରେ ଗଣତି ହୋଇଥିବା ବେଳେ ଆରମ୍ଭରୁ ହିଁ ବିଜେଡି ଆଗୁଆ ରହିଥିଲା । ଉପନିର୍ବାଚନରେ ମୋଟ୍ ୭୮.୨୫% ମତଦାନ ହୋଇଥିଲା । ମୋଟ୍ ୧,୮୦,୯୩୦ ଖଣ୍ଡ ଭୋଟ୍ ପଡିଥିବା ବେଳେ ସେଥିରୁ ୧୮୦୦୩୭ ଖଣ୍ଡ ଇଭିଏମ୍ ଓ ୮୯୩ ଖଣ୍ଡ ଭୋଟ୍ ପୋଷ୍ଟାଲ ବାଲାଟ୍ରେ ପଡିଥିଲା । ସେଥିରୁ ବିଜେଡିକୁ ୫୩.୬ ପ୍ରତିଶତ ଅର୍ଥାତ୍ ୯୬,୯୭୨ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୪୨.୦୪ ପ୍ରତିଶତ ଅର୍ଥାତ୍ ୭୬,୦୫୬ ଓ କଂଗ୍ରେସକୁ ୨.୩୬ ପ୍ରତିଶତ ଅର୍ଥାତ୍ ୪,୨୬୧ ଭୋଟ୍ ମିଳିଛି । ସେହିପରି ନୋଟାରେ ୮୩୧ ଖଣ୍ଡ ଭୋଟ୍ ପଡିଛି ଯାହାକି ୦.୪୬ ମତଦାନର ପ୍ରତିଶତ । ଉଲ୍ଲେଖ୍ୟଯୋଗ୍ୟ ଯେ ପିପିଲି ଉପନିର୍ବାଚନ ପାଇଁ ଗତ ସେପ୍ଟେମ୍ବର ୩୦ ତାରିଖରେ ଭୋଟ୍ ଗ୍ରହଣ ହୋଇଥିଲା । ଉପନିର୍ବାଚନରେ ମୋଟ୍ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ । ଗତବର୍ଷ ପିପିଲିର ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କର ଦେହାନ୍ତ ହୋଇଥିଲା । ଯାହା ପରେ ପିପିଲିରେ ଉପନିର୍ବାଚନ ପାଇଁ ବାରମ୍ବାର ତାରିଖ ବଦଳିଥିଲା । ଏପ୍ରିଲରେ ହେବାକୁଥିବା ଉପନିର୍ବାଚନର ଠିକ୍ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ ହୋଇଥିଲା । ଏହା ପରେ ମେ’ ମାସ ପାଇଁ ନିର୍ବାଚନ ତାରିଖ ଧାର୍ଯ୍ୟ ହୋଇଥିଲା । କିନ୍ତୁ କରୋନା ପାଇଁ ପୁଣି ନିର୍ବାଚନକୁ ଘୁଂଚାଯାଇଥିଲା । ଶେଷରେ ସେପ୍େଟମ୍ବର ୩୦ ତାରିଖ ପାଇଁ ଉପନିର୍ବାଚନ ସ୍ଥିର କରାଯାଇଥିଲା ।


