ସିଡ଼ବି ଓ ଯୁବ ବିକାଶ ପକ୍ଷରୁ ପତୁଆ କର୍ମଶାଳା ଆୟୋଜିତ
୨୦୦ରୁ ଅଧିକ ମହିଳାଙ୍କୁ ଖାଦ୍ୟୋଗୀ କରିବା ପାଇଁ ଏକ ନିଆରା ପ୍ରୟାସ
ସହରୀ ମଣିଷଙ୍କୁ ରଖିବ ସୁସ୍ଥ ଓ ନିରୋଗ
ବାଲେଶ୍ୱର : ଗ୍ରାମୀଣ ମହିଳାମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ସିଡ଼ବି ସହାୟତାରେ ଯୁବ ବିକାଶ ସଂଗଠନ ଦ୍ୱାରା ସ୍ଥାନୀୟ ମିରିଗିମୁଣ୍ଡି ଗ୍ରାମରେ ୩ ଦିନିଆ ପତ୍ରପୋଡ଼ା ତାଲିମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହା ଦ୍ୱାରା ମହିଳାମାନେ ନିଜେ ଏକ ଖାଦ୍ୟୋଗୀ ବନିପାରିବା ସହ ଘରେ ରହି ଦିନକୁ ଦୁଇରୁ ତିନି ଘଣ୍ଟା ପରିଶ୍ରମ କରି ୧୦୦ ରୁ ୧୫୦ ଟଙ୍କା ଅତି ସହଜରେ ରୋଜଗାର କରିପାରିବେ ବୋଲି ସଂଗଠନର ନିର୍ଦ୍ଦେଶକ ଗୋବିନ୍ଦ ଦଳାଇ ସୂଚନା ଦେଇଛନ୍ତି ।


ପଖାଳ ସହିତ ପତୁଆର ସଂଯୋଗୀକରଣ ବହୁତ ନିଆରା, ଏଣୁ ଆଗକୁ ଗରମ ଦିନ ଆସୁଥିବାରୁ ପତୁଆର ଅର୍ଡ଼ର ମଧ୍ୟ ବଢ଼ିବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱରରୁ ଅର୍ଡ଼ର ମଧ୍ୟ ଆସିବାରେ ଲାଗିଲାଣି । ସହରୀ ଲୋକଙ୍କ ଖାଦ୍ୟ ଥାଳିରେ ପତୁଆ କେମିତି ଏକ ଅଭିଚ୍ଛେଦ୍ୟ ଅଙ୍ଗ ହୋଇପାରିବ ଏହାକୁ ନେଇ ପ୍ରୟାସ ଜାରି ରଖିଛି ‘ଯୁବ ବିକାଶ’ । ବର୍ତ୍ତମାନ ସମୟରେ ପତୁଆ ପରି ଏକ ପାରମ୍ପରିକ ପଦ୍ଧତି ହଜିବାକୁ ବସିଥିବା ବେଳେ ଏହାକୁ ପ୍ରସ୍ତୁତ କରି ଲୋକଙ୍କ ଅର୍ଡର ଅନୁଯାୟୀ ଘରେ ପହଞ୍ଚାଯାଇପାରୁଛି । ଏହାଦ୍ୱାରା କିଛି ମହିଳା ରୋଜଗାରକ୍ଷମ ମଧ୍ୟ ହୋଇପାରୁଛନ୍ତି । ପାରମ୍ପରିକ ଢାଞ୍ଚାରେ ଶୀଳରେ ବଟା, ଚୁଲିରେ ତିଆରି ପତ୍ରପୋଡ଼ାକୁ ମହିଳାମାନେ ଅର୍ଡ଼ର ଅନୁଯାୟୀ ପତୁଆ ତିଆରି କରିବା ପରେ ଏହାକୁ ପ୍ୟାକ୍ କରି ଉପରେ ପତୁଆର ନାମ ଲେଖି ଘରେ ପହଞ୍ଚାଉଛନ୍ତି । ଘରେ ଘରେ ପତୁଆ ପହଞ୍ଚାଇବା ପାଇଁ ମଧ୍ୟ କର୍ମଚାରୀ ଅଛନ୍ତି ।


ପତୁଆ ତିଆରିରେ ଆବଶ୍ୟକ ଥିବା ସାମଗ୍ରୀ ତାଙ୍କ ହାତରେ ପାହାନ୍ତାରେ ମିଳୁଥିବା ବେଳ ରୋଷେଇ ସରିବାର ୨ ଘଣ୍ଟା ଭିତରେ ମାଟି ଚୁଲିରେ ପତୁଆ ବନାଯାଇପାରୁଛି । ଏ ନେଇ ମିରିଗିମୁଣ୍ଡି ଗାଁର ମହିଳା ନୟନା ବେହେରା କହିଛନ୍ତି, ଆମ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଘର ପାଖରେ ଯୁବ ବିକାଶର କର୍ମକର୍ତ୍ତାମାନେ ଆମକୁ ଅର୍ଥ ଉପାର୍ଜନର ଏହି ପ୍ରୟାସ ଆରମ୍ଭ କରିପାରିଥିବାରୁ ଆମେ ବିଶେଷ ଲାଭବାନ ହୋଇପାରୁଛୁ । ଏହା ସହିତ ସଂଗଠନ ତରଫରୁ କଦଳୀ ଚାରା, ପେଡ଼ା ସୋରିଷ ତେଲ, ବିଭିନ୍ନ ଶାଗ ମଞ୍ଜି ମଧ୍ୟ ଆମକୁ ଯୋଗାଇ ଦିଆଯାଉଛି ।


ଏହି ପତୁଆ ଗୁଡ଼ିକୁ ପ୍ୟାକିଂ କରିବା ପାଇଁ ଗ୍ରାମର ହରିଜନ/ଆଦିବାସୀ ଲୋକମାନେ ମଧ୍ୟ ଶାଳ ପତ୍ର, କଦଳୀ ପତ୍ର ଆଦି ଦେବାରେ ସହଯୋଗ କରୁଥିବାରୁ ସେମାନଙ୍କ ପାଇଁ ମଧ୍ୟ ଏହା ଏକ ରୋଜଗାରର ମାଧ୍ୟମ ହୋଇପାରିଛି । ସିଜିନ ଅନୁଯାୟୀ ଥାଲକୁଡ଼ି, ପିତାଗିମା, ହିଡିମିଚା, କଦଳୀ ଚୋପା, ଜହ୍ନି ଚୋପା, ଜହ୍ନି ପତ୍ର, ନିମ୍ବ ପତ୍ର, କୁନ୍ଦୁରି ପତ୍ର, ଛତୁ, ଚୁନା ମାଛ, ଇଲିସି ମାଛ, ଚିକିଣିଆ, ମଦରଙ୍ଗା ଭଳି ୨୫ ରୁ ଉର୍ଦ୍ଧ୍ୱ ପ୍ରକାର ଜିନିଷର ପତ୍ରପୋଡ଼ା ବା ପତୁଆ ‘ଘର ପତୁଆ’ ଟିମ୍ ଦ୍ୱାରା ପରଷା ଯାଉଛି । ପତୁଆ ପ୍ରତି ବଢ଼ୁଥିବା ଚାହିଦାକୁ ଦେଖି ଆଗାମୀ ଦିନରେ ୨ ହଜାରରୁ ଅଧିକ ପରିବାର ପାଖରେ ପତୁଆ ପହଞ୍ଚାଇବାର ଲକ୍ଷ୍ୟ ରଖିଛି ଯୁବ ବିକାଶ ସଂଗଠନ । ଏହାଦ୍ୱାରା ୫ ଶହରୁ ଅଧିକ ଗରିବ ଓ ଅସହାୟ ମହିଳାଙ୍କୁ ରୋଜଗାର ଦିଆଯାଇପାରିବ । ଏଥିସହିତ ସହରୀ ମଣିଷଙ୍କୁ ଏହା ସୁସ୍ଥ ଓ ନିରୋଗ ରଖାଯାଇପାରିବ ବୋଲି ‘ଯୁବ ବିକାଶ’ର ମୁଖ୍ୟ ଗୋବିନ୍ଦ ଦଳାଇ କହିଛନ୍ତି ।


ପ୍ରଥମ ପର୍ଯ୍ୟାୟରେ ମିରିଗିମୁଣ୍ଡି, କାନପୁର, ବଣକାଟି ଆଦି ସ୍ଥାନରେ ଏହି କର୍ମଶାଳ ଆରମ୍ଭ ହୋଇଥିବା ବେଳେ ଆଗକୁ ଆହୁରି ବିଭିନ୍ନ ଗ୍ରାମରେ ଏହି କର୍ମଶାଳା ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି । ଆଜିର ଏହି କର୍ମଶାଳାରେ ମିରିଗିମୁଣ୍ଡି ଗ୍ରାମର ଶତାଧିକ ମହିଳା ଉପସ୍ଥିତ ଥିଲେ ।
