କଂଟେନର ପଛରେ ପିଟିଲା ଯାତ୍ରୀବାହୀ ବସ୍ : ୩ ଗୁରୁତର
କେନ୍ଦୁଝର : କଂଟେନର ପଛରେ ଧକ୍କାଦେଲା ଯାତ୍ରୀବାହୀ ବସ୍ । ଫଳରେ ଡ଼୍ରାଇଭର ସମେତ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ନିମନ୍ତେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ବସ୍ ଟି ଅନୁଗୁଳରୁ ଟାଟା ଅଭିମୁଖେ ଯାଉଥିବା ବେଳେ ୪୯ ନଂ ଜାତୀୟ ରାଜପଥର କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଅଞ୍ଜର ଠାରେ ଏହି ଦୁର୍ଘଟଣା ଘଟିଛି । କଂଟେନରଟି ବ୍ରେକ୍ ଡାଉନ୍ ହୋଇ ରାସ୍ତା କଡ଼ରେ ଅଟକି ଥିବା ବେଳେ ବସ୍ ଟି ଏହା ପଛରେ ଧକ୍କା ଦେଇଥିଲା । ପ୍ରତ୍ୟେକ୍ଷଦର୍ଶିଙ୍କ କହିବା ଅନୁଯାୟୀ, ଡ୍ରାଇଭରର ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଛି । ଖବର ପାଇ ଅଗ୍ନିବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ବସ୍ କୁ କଟରରେ କାଟି ଡ୍ରାଇଭର ଓ ତାଙ୍କ ପଛରେ ବସିଥିବା ଦୁଇ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ମେଡ଼ିକାଲରେ ଭର୍ତି କରିଛନ୍ତି । ଗୁରୁତର ଯାତ୍ରୀ ଦୁହିଁଙ୍କ ମଧ୍ୟରୁ ଜଣକ ନାମ ଗାମା ମୁଣ୍ଡା ଓ ଅନ୍ୟ ଜଣକ ନାମ ମୋହନ ମୁଣ୍ଡା ବୋଲି ଜଣାପଡିଛି । ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।
