ପଞ୍ଚାୟତ ନିର୍ବାଚନ : ଅନୁକଂପାମୂଳକ ସହାୟତା ରାଶି ବୃଦ୍ଧି, ନିର୍ବାଚନ ଡ୍ୟୁଟିରେ ମୃତ୍ୟୁ ହେଲେ ୩୦ ଲକ୍ଷ
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ ହେବାକୁ ଥିବା ସରକାରୀ କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ପୂର୍ବରୁ ଲାଗୁଥିବା ମୃତ୍ୟୁଜନିତ ଅନୁକମ୍ପା ରାଶିକୁ ବୃଦ୍ଧି କରିଛନ୍ତି କମିଶନର । ଏଣିକି ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ମୃତ୍ୟୁ ହେଲେ ୩୦ ଲକ୍ଷ ଟଙ୍କା ଅନୁକଂପାମୂଳକ ସହାୟତା ମିଳିବ । ହିଂସା, ଅସାମାଜିକ ଲୋକଙ୍କ ଆକ୍ରମଣ ଓ ବୋମା ବିସ୍ଫୋରଣରେ ମୃତ୍ୟୁ ହେଲେ ମଧ୍ୟ ଅନୁକଂପା ରାଶି ମିଳିବ । ଡ୍ୟୁଟିରେ ଥାଇ ଅନ୍ୟ କାରଣରୁ ମୃତ୍ୟୁ ହେଲେ ୧୫ ଲକ୍ଷର ଅନୁକଂପା ରାଶି ମିଳିବ । ନିର୍ବାଚନ ଡ୍ୟୁଟି ବେଳେ ହିଂସାରେ ଆଖି ନଷ୍ଟ ହେଲେ ସଂପୃକ୍ତ କର୍ମଚାରୀଙ୍କୁ ୧୫ ଲକ୍ଷ ଟଙ୍କା ଅନୁକଂପା ମିଳିବ । ଅଙ୍ଗହାନୀ ହେଲେ ସାଢେ ୭ ଲକ୍ଷ ଓ ଗୁରୁତର ଆହତ ହେଲେ ୨ ଲକ୍ଷ ଟଙ୍କା ଅନୁକଂପା ସହାୟତା ମିଳିବ ।
ସୂଚନା ଯେ, ଫେବୃଆରୀ ୧୬ରୁ ରାଜ୍ୟରେ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ । ମୋଟ୍ ୫ଟି ପର୍ଯ୍ୟାୟରେ ହେବ ମତଦାନ । ଏହା ପୂର୍ବରୁ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ ହେବାକୁ ଥିବା ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଏପରିକି ପଞ୍ଚାୟତ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ପୂର୍ବରୁ ଲାଗୁଥିବା ମୃତ୍ୟୁଜନିତ ଅନୁକମ୍ପା ରାଶିକୁ ବଢ଼ାଇ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର।
