ପଞ୍ଚାୟତ ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର ! ସ୍ୱାମୀ ପାଇଁ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଅଭିନେତ୍ରୀ ସ୍ତ୍ରୀ
ଭଦ୍ରକ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ଚାଲିଛି ପ୍ରଚାର । ଭୋଟରଙ୍କ ଭୋଟ ହାତେଇବା ପାଇଁ ପ୍ରାର୍ଥୀମାନେ ନିଜର ରଣନୀତି ନେଇ ପ୍ରଚାର ଜାରି ରଖିଛନ୍ତି । ବିଶେଷ କରି ନୂଆ ନୂଆ କୌଶଳ ମଧ୍ୟ ଆପଣାଉଛନ୍ତି । ପ୍ରଚାର ବେଳେ କେଉଁଠି ସ୍ତ୍ରୀ ପାଇଁ ସ୍ଵାମୀ, ତ କେଉଁଠି ସ୍ଵାମୀ ପାଇଁ ସ୍ତ୍ରୀ ପ୍ରଚାର କରୁଛି । ଏହି ପରିପ୍ରେକ୍ଷୀରେ ଜଣେ ଅଭିନେତ୍ରୀ ସ୍ତ୍ରୀ ନିଜ ସ୍ଵାମୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି । ନିଜ ସ୍ୱାମୀର ବିଜୟ ପାଇଁ ଅଭିନେତ୍ରୀ ସ୍ତ୍ରୀ ଜଣକ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ।
ସୂଚନା ଯେ, ଭଦ୍ରକ ଜିଲା ତିହିଡି ବ୍ଲକ ତଥା ଧାମନଗର ନିର୍ବାଚନମଣ୍ଡଳୀର ବିଲଣା ପଞ୍ଚାୟତରୁ ସମିତିସଭ୍ୟ ଭାବେ ନିର୍ବାଚନ ଲଢୁଛନ୍ତି ଶୁଭ୍ରଜିତ ମହାନ୍ତି । ଏମବିଏ ପରେ ରିଏଲ ଇଷ୍ଟେଟ ବ୍ୟବସାୟରେ ଥିଲେ । କିନ୍ତୁ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ତାଙ୍କ ସ୍ତ୍ରୀ ବନିଜା ପଣ୍ଡା କେତେକ ଟେଲିଫିଲ୍ମ ଓ ସିରିଏଲରେ ଅଭିନେତ୍ରୀ ଥିବା ବେଳେ ଏବେ ଗାଁ ଗାଁ ବୁଲି ସ୍ଵାମୀ ପାଇଁ ପ୍ରଚାର କରୁଛନ୍ତି । ନିର୍ବାଚନରେ ଶିକ୍ଷିତଙ୍କୁ ନିର୍ବାଚିତ କରିବା ପାଇଁ ମଧ୍ୟ ଅନୁରୋଧ କରୁଛନ୍ତି । ଗାଁର ବୋହୁ ହିସାବରେ ଲୋକଙ୍କୁ ଭୋଟ ମାଗିବା ସହ ଆଗାମୀ ଦିନରେ ବିକାଶ ପାଇଁ ଉଭୟ ସ୍ଵାମୀ ଓ ସ୍ତ୍ରୀ କାର୍ଯ୍ୟ କରିବେ ବୋଲି କହିଛନ୍ତି ।
