ବିଗିଡିଲା ପଦ୍ମଶ୍ରୀ ନନ୍ଦ ସାରଙ୍କ ସ୍ୱାସ୍ଥ୍ୟବସ୍ଥା, ଘରୋଇ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱର : ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଅସୁସ୍ଥ । କୋରୋନାରେ ଆକ୍ରାନ୍ତ ହୋଇ କଳିଙ୍ଗ ନଗର ସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ଚିକିତ୍ସା ହେଉଥିବା ପଦ୍ମଶ୍ରୀ ନନ୍ଦ ସାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶନିବାର ଅଧିକ ଗୁରୁତର ହୋଇପଡିଛି । ଫଳରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାସହ ତାଙ୍କର ଅଧିକ ଚିକିତ୍ସା ମଧ୍ୟ ଜାରି ରହିଛି । ସୂଚନା ମୁତାବକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଠିଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ଗତ ୨୯ ତାରିଖରେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ପରେ ୩୦ ତାରିଖରେ ସେ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ କଳିଙ୍ଗନଗର ସ୍ଥିତ ଟାଟା କୋଭିଡ ମେଡିକାଲକୁ ସ୍ଥାନନ୍ତର କରାଯାଇଥିଲା। ନନ୍ଦ ସାର ଏବେ ଖାଦ୍ୟ ଗ୍ରହଣ କରୁନଥିବାରୁ ଖାଦ୍ୟ ନଳୀ ସାହାଯ୍ୟରେ ତରଳ ଖାଦ୍ୟ ଦିଆଯାଉଥିବା ଥିବା ଟାଟା କୋଭିଡ ହସ୍ପିଟାଲର ଅଧକ୍ଷ୍ୟ ସୁଧାଂଶୁ ଶେଖର ସୁତାର କହିଛନ୍ତି । ହେଲେ ଆଜି ଅପରାହ୍ନରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାକୁ ଲାଗିଥିଲା । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ କନ୍ତିରା ଗାଁର ୧୦୪ ବର୍ଷୀୟ ନନ୍ଦ ପୃଷ୍ଟି । ସମଗ୍ର ଦେଶରେ ଚାଟଶାଳୀ ଶିକ୍ଷକ ଭାବେ ପରିଚିତ । ସେ ଦୀର୍ଘ ୮୨ ବର୍ଷ ଧରି ସେ ମାଗଣାରେ ଶିକ୍ଷାଦାନ କରି ଚର୍ଚ୍ଚାକୁ ଆସିଥିଲେ । ପରେ ରାଜ୍ୟ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। କେନ୍ଦ୍ର ସରକାର ଏହା ଉପରେ ବିଚାର କରି ନନ୍ଦ ସାରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ମଧ୍ୟ କରିଥିଲେ ।
