ନାଇଜେରିଆର ବେଆଇନ୍ ତେଲ ରିଫାଇନେରୀରେ ବିସ୍ଫୋରଣ, ଶତାଧିକ ମୃତ
ନୂଆଦିଲ୍ଲୀ : ଦକ୍ଷିଣ-ପୂର୍ବ ନାଇଜେରିଆର ଏକ ବେଆଇନ୍ ତେଲ ରିଫାଇନେରୀରେ ବିସ୍ଫୋରଣ ହୋଇଛି । ଏଥିରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଛି । ସେହିପରି ବହୁ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି । ଅଧିକାରୀମାନେ ଶନିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଲାଗୋସସ୍ଥିତ ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିସ୍ଫୋରଣର ଶିକାର ହୋଇଥିବା ଲୋକଙ୍କ ମଧ୍ୟରୁ ଶତାଧିକଙ୍କର ମୃତ୍ୟୁ ହୋଇଥାଇପାରେ । ଆଇମୋର ରାଜ୍ୟ ସୂଚନା ଆୟୁକ୍ତ ଡେକ୍ଲାନ ଏମେଲୁମ୍ବା କହିଛନ୍ତି ନିଆଁ ଦ୍ରୁତଗତିରେ ବେଆଇନ ଇନ୍ଧନ ଭଣ୍ଡାରକୁ ପ୍ରବେଶ କରିଥିଲା ।
ସେ କହିଛନ୍ତି ଯେ, ବିସ୍ଫୋରଣ କାରଣରୁ ମୃତକଙ୍କ ସଠିକ ସଂଖ୍ୟା ଜଣାପଡ଼ି ନାହିଁ । ରାଜ୍ୟ ପେଟ୍ରୋଲିୟମ ରିସୋର୍ସ କମିଶନର ଗୁଡଲକ ଓପିୟା କହିଛନ୍ତି ନିଆଁ ଲାଗିବା ଘଟଣା ଏକ ବେଆଇନ ବଙ୍କରିଙ୍ଗସ୍ଥଳୀ ନିକଟରେ ହୋଇଛି । ଏଥିରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ଲୋକମାଙ୍କର ପରିଚୟ ମିଳିପାରି ନାହିଁ । ଅବେଜୀର ଜଙ୍ଗଲରେ ୨ ରାଜ୍ୟର ସୀମା ସଂପ୍ରସାରିତ ହୋଇଛି । ତେଲ ଉତ୍ପାଦକ ନାଇଜର ଡେଲ୍ଟାରେ ବେରୋଜଗାରୀ ଓ ଗରିବୀ କାରଣରୁ ବେଆଇନ ଅଶୋଧିତ ତୈଲର ରିଫାଇନିଙ୍ଗ ସଂଖ୍ୟା ବଢ଼ିଛି । ଗତବର୍ଷ ମଧ୍ୟ ବିସ୍ଫୋରଣରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା ।
