ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ କମଳା ! ଏହାର ଔଷଧୀୟ ଗୁଣ ଜାଣିଲେ ଆଜିଠୁ ଆରମ୍ଭ କରିଦେବେ ଖାଇବା
ସମସ୍ତ ଫଳ ଆମ ସ୍ୱାସ୍ଥ୍ୟ ପାଇଁ ଉପକାରୀ ଅଟେ। ଏହିପରି ସୁନ୍ଦର ଓ ସୁସ୍ଥ ଶରୀର ପାଇଁ କମଳା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସବୁଠାରୁ ଲୋକପ୍ରିୟ ଫଳ ମଧ୍ୟରୁ କମଳା ଅନ୍ୟତମ। ଅନେକ ରୋଗକୁ ଦୂର କରିବା ପାଇଁ ଲୋକେ କମଳା ଖାଇଥାଆନ୍ତି। ଏଥିରେ ସାଇଟ୍ରିକ ଏସିଡ଼, ମ୍ୟାଗ୍ନେସିୟମ, ଫସଫରସ୍ ଓ ଆଇରନ ପ୍ରଚୁର ପରିମାଣରେ ଥାଏ। ଡାକ୍ତରମାନେ ସକାଳ ଜଳଖିଆରେ କମଳା ଖାଇବା ପାଇଁ ପରାମର୍ଶ ଦେଇଥାଆନ୍ତି। ଏଥିରେ ପ୍ରଚୁର ପରିମାଣର ଭିଟାମିନ ସି ରହିଥାଏ । ଏଥିରେ ଥିବା ଫ୍ରୁଟୋଜ ଓ ଅନ୍ୟ ଜୈବିକ ତତ୍ତ୍ୱ ଗୁଡି଼କ ଶରୀରକୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରେ।
କମଳାର ଉପକାରିତା ….
ଭିଟାମିନ (ସି)ରେ ଭରପୁର :
କମଳାରେ ଭିଟାମିନ (ସି) ପର୍ଯ୍ୟାପ୍ତ ପରିମାଣରେ ରହିଥାଏ। ଦୈନିକ ଆମ ଶରୀର ଯେତିକି ପରିମାଣର ଭିଟାମିନ (ସି)( vitamin c) ଆବଶ୍ୟକ କରେ, ଗୋଟିଏ କମଳାରେ ତାର ୧୧୬ ପ୍ରତିଶତ ଅଧିକ ଭିଟାମିନ (ସି୍) ରହିଥାଏ। ଭିଟାମିନ (ସି) କ୍ୟାନ୍ସର ଯୋଗୁଁ ଡିଏନଏ ଗୁଡିକୁ କ୍ଷତି ପହଞ୍ଚାଉ ଥିବା ଫ୍ରି ରେଡିକାଲ୍ସ ଗୁଡିକୁ ମାରିବାରେ ସାହାଯ୍ୟ କରେ।
ପ୍ରତିରକ୍ଷା ପ୍ରଣାଳୀ :
ଆମ ଶରୀରର ପ୍ରତିରକ୍ଷା ପ୍ରଣାଳୀ ସୁସ୍ଥ ଭାବେ କାର୍ଯ୍ୟ କରିବା ପାଇଁ ଭିଟାମିନ (ସି) ଗୁରୁତ୍ୱ ପୂର୍ଣ୍ଣ ଅଟେ। ଶରୀରକୁ ଏହା ଶକ୍ତି ଯୋଗାଇବା ସହ ଅଙ୍ଗ ପ୍ରତ୍ୟଙ୍ଗ ଗୁଡିକ ସୂଚାରୁ ରୂପେ କାର୍ଯ୍ୟ କରିବା ପାଇଁ କ୍ଷମତା ଯୋଗାଇ ଥାଏ। ଶରୀରରେ ଭିଟାମିନ (ସି) ଅଭାବରୁ ବାରମ୍ବାର ଥଣ୍ଡା ହେବା ସହ ସଂକ୍ରମଣ ହୋଇଥାଏ। ଏହାକୁ ଦୂର କରିବା ପାଇଁ କମଳା ଏକ ପ୍ରାକୃତିକ ଔଷଧ ପରି କାର୍ଯ୍ୟ କରେ।
ଚର୍ମ ରୋଗରୁ ଦୂର କରେ :
ପ୍ରତିଦିନ କମଳା ଖାଇଲେ ଏହା ଚର୍ମ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଚର୍ମକୁ ଫ୍ରି ରେଡିକାଲରୁ ରକ୍ଷା କରିଥାଏ। ଏହି ରେଡିକାଲ ପ୍ରଭାବରେ ଚର୍ମ ଶୀଘ୍ର ସଙ୍କୁଚିତ ହୋଇଯାଏ। କୁହାଯାଏ ଯେ, ପ୍ରତିଦିନ କମଳା ଖାଇଲେ ଆପଣ ୫୦ ବର୍ଷରେ ମଧ୍ୟ ଯୁବକ ପରି ଦେଖାଯିବେ।
ଆଇରନ ଅବଶୋଷଣ କରେ :
ଆମ ଶରୀରର ଉତ୍ତମ କାର୍ଯ୍ୟ ପ୍ରଣାଳୀ ପାଇଁ ଆଇରନ ଆବଶ୍ୟକ କରିଥାଏ। ଶରୀରରେ ଆଇରନ ଅବଶୋଷଣ କରିବା ପାଇଁ ସାଇଟ୍ରସ୍ ଫଳ ଗୁଡିକ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି। ଆଇରନ ଅଭାବରୁ ଶରୀରରେ ରକ୍ତହୀନତା ଦେଖା ଯାଇଥାଏ। ତେଣୁ ଏହି ରୋଗୀମାନଙ୍କୁ ଡାକ୍ତର ସାଇଟ୍ରସ୍ ଯୁକ୍ତ ଫଳ ଖାଇବା ପାଇଁ ପରାମର୍ଶ ଦେଇଥାଆନ୍ତି। କମଳା ଶରୀରରେ ଆଇରନ ଅବଶୋଷଣ କରିବା ପାଇଁ ସାହାଯ୍ୟ କରିଥାଏ।
ରକ୍ତଚାପ ନିୟନ୍ତ୍ରଣ କରେ :
କମଳାରେ ପ୍ରଚୁର ପରିମାଣରେ ଭିଟାମିନ (B6) ରହିଥାଏ। ଏହା ଶରୀରରେ ହିମୋଗ୍ଲୋବିନ ବଢାଇବାରେ ସାହାଯ୍ୟ କରେ। ଏଥିରେ ଥିବା ମ୍ୟାଗ୍ନେସିୟମ ଶରୀରରେ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।
କୋଲେଷ୍ଟ୍ରଲ କମ୍ କରେ :
କମଳାରେ ଫାଇଟୋଷ୍ଟେରୋଲ ନାମକ ଏକ ଶରୀର ଉପକାରୀ ଫ୍ୟାଟ ରହିଥାଏ। ଏହା ଆମର ଅନ୍ତଃନଳୀରେ କୋଲେଷ୍ଟ୍ରୋଲ(Cholesterol) ଜମିବାରୁ ରକ୍ଷା କରିଥାଏ। ଏହାସହ ଆମେରିକୀୟ ଗବେଷକ ମାନେ ଏକ ଅଧ୍ୟୟନରୁ ପ୍ରକାଶ କରିଛନ୍ତି ଯେ , ସାଇଟ୍ରସ ଫଳ ଗୁଡିକର ଚୋପାରେ ପଲିମେଥୋକ୍ସିଲେଟେଡ ଫ୍ଲାବୋନ୍ସ ନାମକ ଏକ ଉପାଦାନ ରହିଥାଏ ଯାହା ଶରୀରରେ କୋଲେଷ୍ଟ୍ରୋଲ କମ କରିବା ପାଇଁ କୌଣସି ଔସଧ ଠାରୁ କମ୍ ନୁହେଁ।
ହୃତପିଣ୍ଡକୁ ସୁସ୍ଥ ରଖେ :
ସମଗ୍ର ବିଶ୍ୱରେ ଅକାଳ ମୃତ୍ୟୁ ହେବାର କାରଣ ହେଉଛି ହୃଦଘାତ୍। ଆଉ ହୃତଘାତର ମୂଳ କାରଣ ହେଉଛି କୋଲେଷ୍ଟ୍ରୋଲ କାରଣରୁ ହେଉଥିବା ଉଚ୍ଚ ରକ୍ତଚାପ। କମଳା ରକ୍ତରେ କୋଲେଷ୍ଟ୍ରୋଲର ପରିମାଣ ହ୍ରାସ କରିଥାଏ ଫଳରେ ହୃଦଘାତର ଆଶଙ୍କା କମିଯାଇଥାଏ। ସଠିକ୍ ପରିମାଣର କମଳା ନିୟମିତ ସେବନ କଲେ ଏହା ହୃଦଘାତ ପାଇଁ ଏକ ସଞ୍ଜିବନୀ ପରି କାର୍ଯ୍ୟ କରିଥାଏ।
ଶର୍କରା ସ୍ତର ନିୟନ୍ତ୍ରଣ କରେ :
କମଳାରେ ଥିବା ଫାଇବର୍ ରକ୍ତରେ ସର୍କରାର ସ୍ତର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଫ୍ରୁକ୍ଟୋଜ ରକ୍ତରେ ଶର୍କରାର ପରିମାଣ ବଢିବା ପାଇଁ ଦିଏ ନାହିଁ। ଖାଦ୍ୟରେ ଶର୍କରାର ପରିମାଣ ଗ୍ଲାଇସେମିକ ଇଣ୍ଡେକ୍ସ ଅନୁସାରେ ୫୦ରୁ କମ୍ ଥିଲେ ତାକୁ କମ୍ ଶର୍କରା ଯୁକ୍ତ ଖାଦ୍ୟ ଭାବେ ବିବେଚନା କରାଯାଏ। କମଳାରେ ଏହା ୪୦ ଅଟେ। ସାଧାରଣ ଭାବେ ଡାଇବେଟିସ କିମ୍ବା ମଧୁମେହ ରୋଗୀଙ୍କ ପାଇଁ କମଳା ଏକ ଉତ୍ତମ ଖାଦ୍ୟ ହୋଇଥିବା ବେଳେ ଅଧିକ ପରିମାଣର କମଳା ଏହି ରୋଗୀଙ୍କ ପାଇଁ ହାନୀକାରକ ମଧ୍ୟ ହୋଇପାରେ। କାରଣ ଆବଶ୍ୟକଠାରୁ ଅଧିକ କମଳା ଖାଇବା ଦ୍ୱାରା ଶରୀରରେ ଇନସୁଲିନ ବଢିପାରେ।
କର୍କଟ ରୋଗର ଆଶଙ୍କା କମ କରିଥାଏ :
କମଳାରେ ଥିବା ଡି଼ ଲିମୋନିନ୍ ବିଭିନ୍ନ କର୍କଟ ରୋଗରୁ ରକ୍ଷା କରିଥାଏ। ଏହା ଫୁସଫୁସ କର୍କଟ, ସ୍ତନ କର୍କଟ ଓ ଚର୍ମ କର୍କଟ ପରି ରୋଗକୁ ପ୍ରତିହିତ କରିଥାଏ । ଏଥିରେ ଥିବା ଭିଟାମିନ (ସି) ଓ ଆଣ୍ଟି ଅକ୍ସିଡାଣ୍ଟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଆନ୍ତି। ଏହି ଫଳରେ ଥିବା ଫାଇବ୍ରସ ଗୁଣ ଶରୀରରେ କର୍କଟ ରୋଗ ହେବାକୁ ଦିଏ ନାହିଁ। ଗବେଷକଙ୍କ କହିବା ଅନୁସାରେ, ଡିଏନଏର ମ୍ୟୁଟେସନ ଯୋଗୁଁ ୧୫ ପ୍ରତିଶତ ପର୍ଯ୍ୟନ୍ତ କର୍କଟ ରୋଗ ହୋଇଥାଏ। ଏହାକୁ ରୋକିବାରେ ଭିଟାମିନ (ସି) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।
