ଆଫଗାନିସ୍ତାନରେ ଅଫିମ ଚାଷ ଓ ବ୍ୟବସାୟ ନିଷିଦ୍ଧ, ଅବମାନନା କଲେ ମିଳିବ ଦଣ୍ଡ
କାବୁଲ : ତାଲିବାନ ନେତା ହୈବତୁଲ୍ଲାହ ଅଖୁନ୍ଦଜାଦା ଜାରି ଏକ ଆଦେଶରେ ଆଫଗାନିସ୍ତାନରେ ଅଫିମ ଚାଷ ଓ ଅଫିମ ବ୍ୟବସାୟ ନିଷିଦ୍ଧ କରିଦେଇଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ତାଲିବାନ ସରକାରଙ୍କ ସୂତ୍ରରୁ ଆସୁଥିବା ସୂଚନାରେ ଇସଲାମୀ ଅମିରାତ (ଆଇଇଏ) ସର୍ବୋଚ୍ଚ ନେତାଙ୍କ ଫରମାନ ଅନୁସାରେ ଦେଶରେ ଅଫିମ ଚାଷ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ ବୋଲି ଆଫଗାନିସ୍ତାନ ବାସୀଙ୍କୁ ଜଣାଇ ଦିଆଯାଇଛି।
ବୟାନ ଅନୁସାରେ ଯଦି କେହି ଅବମାନନା କରେ ତେବେ ଫସଲ ତୁରନ୍ତ ଉଜାଡି ଦିଆଯିବ ଓ ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ ମଧ୍ୟ କରାଯିବ। କେବଳ ଅଫିମ ନୁହେଁ ସର୍ବୋଚ୍ଚ ନେତା ଆଫଗାନିସ୍ତାନରେ ମଦ, ହେରୋଇନ ଟାବଲେଟ୍, ଚରସ ଗଞ୍ଜା ସମେତ ସବୁପ୍ରକାର ନିଷିଦ୍ଧ ନିଶା ସମଗ୍ରୀର ଆମଦାନୀ, ରପ୍ତାନୀ ପରିବହନ ବିତରଣ ଓ ବିକ୍ରି ଉପରେ ମଧ୍ୟ କଟକଣା ଜାରି କରିଛନ୍ତି। ଏହି ଡିକ୍ରିର ପାଳନ ବାଧ୍ୟତାମୂଳକ ମଧ୍ୟ କରାଯାଇଛି।
ସରକାରଙ୍କ କଟକଣା ଉଲ୍ଲଂଘନକାରୀଙ୍କ ବିରୋଧରେ ମୋକଦ୍ଦମା ଚଳାଯିବ ବୋଲି ମଧ୍ୟ ସରକାର ଚେତାଇ ଦେଇଛନ୍ତି। ମୋକଦ୍ଦମା ଜରିଆରେ ନ୍ୟାୟପାଳିକାଙ୍କ ଦ୍ୱାରା ଏଥିଲାଗି ଦଣ୍ଡବିଧାନର ବ୍ୟବସ୍ଥା ମଧ୍ୟ ରହିବ ବୋଲି କୁହାଯାଇଛି। ଉଲ୍ଳେଖ ଯୋଗ୍ୟଯେ ବିଶ୍ୱରେ ପ୍ରସରୁ ଥିବା ଅଫିମ ଅଧିକାଂଶ ଆତଙ୍କବାଦ ପିଡୀତ ଏସିୟ ଦେଶମାନଙ୍କରେ ଚାଷ ହୋଇଥାଏ। ଏକ ଅଧିକାରୀକ ତଥ୍ୟ ଅନୁସାରେ ୨୦୨୦ ମସିହାରେ ଆଫଗାନିସ୍ତାନ ମୋଟ ୬ ହଜାର ୩୦୦ ଟନ ଅଫିସ ଉତ୍ପାଦନ କରିଥିଲା।
