ଓଡ଼ିଶା ଦିବସ ଅବସରରେ କେନ୍ଦୁଝରରେ ଜିଲାସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ
କେନ୍ଦୁଝର : କେନ୍ଦୁଝର ଅଡିଟୋରିଅମ୍ରେ ଜିଲା ପ୍ରଶାସନ ଆନୁକୂଲ୍ୟରେ ଶନିବାର ଅପରାହ୍ନରେ ମିଳନୀ ସାହିତ୍ୟ ସଂସଦ ସହଯୋଗରେ ଓଡିଶା ଦିବସ ଅବସରରେ ଏକ ଜିଲାସ୍ତରୀୟ କବି ସମ୍ମେଳନ ମିଳନୀର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ପ୍ରାରମ୍ଭରେ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦେଶକ ସଂଜୀବ ବାରିକ ସମବେତ କବିମାନଙ୍କୁ ସ୍ୱାଗତ ସମ୍ଭାଷଣ ଜଣାଇଥିଲେ। ଅନୁଷ୍ଠାନର ସମ୍ପାଦକ କବି ଡ଼କ୍ଟର୍ ଚିତ୍ତରଞ୍ଜନ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇ ଉତ୍କଳୀୟ ସଂସ୍କୃତିର ସୁରକ୍ଷା ପାଇଁ ସୃଜନନିଷ୍ଠ ହେବାକୁ ଆହ୍ୱାନ ଦେଇଥିଲେ। ଜିଲା ଲେଖିକା ସଂସଦର ଉପସଭାପତି ମମତା ରାଣୀ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉତ୍କଳୀୟ ଭାଷା ଓ ସଂସ୍କୃତି ର ଗାରିମା ପ୍ରକ୍ଷାପନ କରିଥିଲେ। ବିଶିଷ୍ଟ ଗବେଷକ ଡ. ସୁନୀଲ କୁମାର ରଥ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସ୍ୱତନ୍ତ୍ର ଉତ୍କଳ ଗଠନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀ ସଭାପତୀୟ ଅଭିଭାଷଣରେ ସ୍ୱତନ୍ତ୍ର ଉତ୍କଳ ଗଠନରେ କବି ମାନଙ୍କର ଭୂମିକା ଉଲ୍ଲେଖନୀୟ ବୋଲି ମତ ଦେଇଥିଲେ l କବୟିତ୍ରୀ ସମୟଶ୍ରୀ ଚାଟାର୍ଜୀଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଇନ୍ଦୁମତି ପାତ୍ର, ରତ୍ନମଞ୍ଜରୀ ରାଉତ, ବିଜୟଲକ୍ଷ୍ମୀ ମହାନ୍ତି,ଲିପିକା ଦାସପଟ୍ଟନାୟକ, ଚନ୍ଦ୍ରପ୍ରଭା ପତି, ଗୀତାଞ୍ଜଳି ପାତ୍ର, ସୌଦାମିନୀ ଆଚାର୍ଯ୍ୟ, ବୀଣାପାଣି ଜେନା, ଜ୍ୟୋତ୍ସ୍ନା ପାଢ଼ୀ, ଶୋଭନା ଜେନା, ଅଞ୍ଜନା ନନ୍ଦ, ଆର୍ଯ୍ୟବାଳା ମହାପାତ୍ର, ମନ୍ଦାକିନୀ କର,ସ୍ମୃତି ବାନାର୍ଜୀ ପ୍ରମୁଖ ବହୁକବି କବିତା ଆବୃତ୍ତି କରିଥିଲେ। ପରିଶେଷରେ ମିଳନୀର ଯୁଗ୍ମ ସମ୍ପାଦକ କବି ହରିହର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ l
