ତିହିଡ଼ି ମହୋତ୍ସବର ୩ୟ ସନ୍ଧ୍ୟା ଓଡ଼ିଶା ସାରା ମହକୁଛି ତିହିଡ଼ି ମାଟିର ବାସ୍ନା
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି କାଳିପଡ଼ିଆ ଠାରେ ଶ୍ୟାମା କ୍ଲବ ଆୟାଜନରେ ଚାଲିଥିବା ୪ର୍ଥ ତିହିଡ଼ି ମହୋତ୍ସବର ତୃତୀୟ ସନ୍ଧ୍ୟା ସୋମବାର ଅନୁଷ୍ଠିତ ହୋଇ ଯାଇଛି । ତୃତୀୟ ସନ୍ଧ୍ୟାରେ କବି ବିଷ୍ଣୁସେଠୀ ମଂଚରେ ସଭାପତି ସୋମନାଥ ପାଢ଼ୀ ପୌରୋହିତ୍ୟ କରିଥିଲେ । ଏଥିରେ ଅତିଥି ଭାବେ ଧାମନଗର ବିଧାୟକ ସୂର୍ଯ୍ୟ ବଂଶୀ ସୂରଜ ଯୋଗ ଦେଇ ତିହିଡ଼ିର କଳା, ସଂସ୍କୃତି, ସାହିତ୍ୟ ଓ ପରମ୍ପାରର ବାସ୍ନା ସାରା ଓଡ଼ିଶାରେ ମହକିତ ହେଉଥିବା ବେଳେ ତିହିଡ଼ି ମହୋତ୍ସବ ଆଗାମୀ ଦିନରେ ଏକ ଲୋକ ମହୋତ୍ସବ ଭାବେ ପରିଣତ ହେବ ବୋଲି କହିଥିଲେ । ଏହି ମଂଞ୍ଚରେ ଅନ୍ୟତମ ଅତିଥି ଭାବେ ମାଳିକା ପ୍ରବଚକ ତଥା ପରିବ୍ରାଜକ ପଣ୍ଡିତ ପ୍ରମୋଦ ପୃଷ୍ଟି ଯୋଗ ଦେଇ ମାଳିକାର ଭବିଷ୍ୟତ ବାଣୀ ଉପରେ ପ୍ରବଚନ ଦେଇଥିଲେ । ଏହି ଅବସରରେ ମଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟର ପିଲାମାନେ ମୋଗଲ ତାମସା ପ୍ରଦର୍ଶିତ କରି ଲୋକଙ୍କ ମନ ଜିଣିଥିଲେ । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାଟପଡ଼ା ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରମାମଣି ବେହେରାଙ୍କୁ ‘ଶିକ୍ଷା ପ୍ରଦୀପ’ ସମ୍ମାନ ପ୍ରଦାନ କରାଯାଇଥିଲା । ଶେଷରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଲିଉଡ ଅଭିନେତ୍ରୀ ପୁନମ ମିଶ୍ରଙ୍କ ଅଭିନୟ ଓ ନୃତ୍ୟ ପ୍ରଦର୍ଶନରେ ଝୁମିଥିଲେ ଦର୍ଶକ । ଏଥି ସହିତ ସ୍ଥାନୀୟ କଳାକାମରମାନଙ୍କ ଦ୍ୱାରା ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା । ସମ୍ପାଦକ ଚନ୍ଦ୍ରକାନ୍ତ ମହାନ୍ତି, ଡ. ଲକ୍ଷ୍ମୀଧର ତ୍ରିପାଠୀ, ଅମର କୁମାର ଜେନା, ଧୀରେନ୍ଦ୍ର ସାହୁ, ମନୋଜ କୁମାର ସେନାପତି, ମନୋଜ କୁମାର ପାଣିଗ୍ରାହୀ, ଅମୂଲ୍ୟ ସେନାପତି, ପ୍ରଭାତ ଜେନା, ଗିରିଜାରମଣ ଜେନା, ନରେନ୍ଦ୍ର ବାରିକ, ନାରାୟଣ ପାଢ଼ୀ ପ୍ରମୁଖକଙ୍କ ସମେତ ବ୍ଲକ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।
