ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଦିବସ ପାଳନ
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଶନିବାର ଓଡ଼ିଶା ଦିବସ ପାଳନ କରାଯାଇଛି । ଏଥିରେ ଇତିହାସର ପ୍ରଫେସର ଡ. ସୋମା ଚାନ୍ଦ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଓଡ଼ିଆ ଭାଷା, ଓଡ଼ିଶାର ଭୌଗୋଳିକ କ୍ଷେତ୍ର ଓ ଓଡ଼ିଆ ମାନଙ୍କର ଭାବଗତଐକତା- ଏହି ତିନୋଟି ପ୍ରସଙ୍ଗ ସମ୍ପ୍ରତି ଓଡ଼ିଶାର ଅସ୍ମିତା ଚର୍ଚ୍ଚା ଓ ସୁରକ୍ଷା ପରିପ୍ରେକ୍ଷୀରେ ବେଶ୍ ଗୁରୁତ୍ୱ ବହନ କରେ ବୋଲି ମତ ଦେବା ସହିତ, ଅସ୍ମିତାର ଉତ୍ତରଣ ନ ଘଟିଲେ ଗୋଟିଏ ବିକଶିତ ଓଡ଼ିଶାର ପରିକଳ୍ପନା କରିହେବ ନାହିଁ ବୋଲି ପ୍ରକାଶ କରିଥିଲେ ।
ଫକୀର ମୋହନ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସଭାପତି ଡା. ଚୌଧୁରୀ ସତ୍ୟବ୍ରତ ନନ୍ଦ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ପଦପଦବୀରେ ଓ ଦାୟିତ୍ୱରେ ଓଡ଼ିଆଲୋକ ନିୟୋଜିତ ରହି କିପରି ଓଡ଼ିଶା ମାଟିର ଗୌରବ ବୃଦ୍ଧି କରୁଛନ୍ତି ସେ ବିଷୟରେ ସଦୃଷ୍ଟାନ୍ତ ଆଲୋଚନା କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ଓଡ଼ିଶା ଦିବସ ପାଳନ କରିବାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମତ ଦେଇଥିଲେ । ଅନୁରୂପ କୁଳସଚିବ କୁକୁମୀନା ଦାସ ଓଡ଼ିଶାରେ ବସବାସ କରୁଥିବା ସମସ୍ତ ଲୋକେ ଓଡ଼ିଆ ଭାଷାକୁ ଲେଖାଲେଖି କରିବା ତଥା ଭାବ ବିନିମୟ କରିବାର ମାଧ୍ୟମ ରୂପେ ଗ୍ରହଣ କରିବା ଏକାନ୍ତ ଗୁରୁତ୍ୱପୂର୍ଣ୍ଣ, ନଚେତ ଆମର ଅସ୍ମିତା ବିକ୍ଷିପ୍ତ ହୋଇଯିବ ବୋଲି ପ୍ରକାଶ କରିଥିଲେ । ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏହି ଅବସରରେ ଆମେ ସମସ୍ତେ ଓଡ଼ିଆ ଭାଷାଭାଷୀ ଅଟୁ ବୋଲି ସର୍ବଦା ଗର୍ବ ଅନୁଭବ କରିବା ଉଚିତ୍ ଏବଂ ଓଡ଼ିଶୀ ସାଂସ୍କୃତିକ ଚିନ୍ତାଚେତନା ପ୍ରତି ମଧ୍ୟ ଦାୟବଦ୍ଧ ରହିବା ଉଚିତ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ଏବଂ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଭାଷା ସାହିତ୍ୟ ବିଭାଗର ସହଯୋଗୀ ପ୍ରଫେସର ଡ. ଦେବାଶିଷ ପାତ୍ର କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଶେଷରେ ଡ. ପ୍ରହ୍ଲାଦ ଖିଲା କୃତଜ୍ଞତା ଜ୍ଞାପନ କରିଥିଲେ ।
